ପୁରୀ : ପବିତ୍ର ଶ୍ରୀକ୍ଷେତ୍ର ପୁରୀର ଏକ ହୋଟେଲରେ ଆମିଷ ଖାଦ୍ୟ ସହିତ ମହାପ୍ରସାଦ ମିଶାଇ ବିକ୍ରି କରାଯାଉଥିବା ନେଇ ଏକ ସମ୍ବେଦନଶୀଳ ଓ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ବାସି ଅବଢ଼ାକୁ ଆଣି ସାନି ପାକ କରି ବିକ୍ରି କରିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଅଞ୍ଚଳ ନିକଟସ୍ଥ ଏକ ହୋଟେଲରେ ଏହି କାରବାର ଚାଲିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ହୋଟେଲକୁ ଆସିଥିବା ଜଣେ ଗ୍ରାହକ ନନ୍-ଭେଜ୍ ମିଲ୍ ଖାଇବା ସମୟରେ, ତାଙ୍କୁ ଆମିଷ ଖାଦ୍ୟ ସହିତ ମହାପ୍ରସାଦ ପରସା ଯାଉଥିବା ଦେଖିବାକୁ ପାଇଥିଲେ। ସେ ଏହାକୁ ତୀବ୍ର ବିରୋଧ କରିବା ସହ ଏହି ଘଟଣା ସାମ୍ନାକୁ ଆଣିଥିଲେ।
ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ କୁମ୍ଭାରପଡ଼ା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ହୋଟେଲରୁ ମହାପ୍ରସାଦ କୁଡୁଆ ଜବତ କରିବା ସହ ହୋଟେଲ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।
ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମର୍ଯ୍ୟାଦା ହାନି କଲା ଭଳି ଏହି ଘଟଣା ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।