ଭୁବନେଶ୍ୱର : ଆସନ୍ତାକାଲି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତିକେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଦିନିକିଆ ଗସ୍ତ ସମୟରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ୟୁନିଟ୍ ପରିଦର୍ଶନ କରିବେ।
ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ସୁନାବେଡ଼ା HAL ପରିସରରେ ପ୍ରତିରକ୍ଷା ଉତ୍ପାଦନ, ଇଞ୍ଜିନ୍ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ସମୀକ୍ଷା କରିବେ। ଏହାସହ ସୁଖୋଇ-୩୦ ଏମକେଆଇ (Sukhoi-30 MKI) ଏବଂ ଇଞ୍ଜିନ ନମ୍ବର ୨୦୦୦ର ପ୍ରସ୍ତୁତି ନେଇ ମଧ୍ୟ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ହାଇ-ପ୍ରୋଫାଇଲ୍ ଗସ୍ତ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ। କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସମାନ ଦିନରେ ଓଡ଼ିଶା ଗସ୍ତରେ ଆସିବାର ସୂଚନା ରହିଛି ।
ଏହି ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ସୁନାବେଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପ୍ରତିରକ୍ଷା କ୍ଷେତ୍ରରେ ଭାରତର ସ୍ୱାବଲମ୍ବୀ ଅଭିଯାନକୁ ଆଗକୁ ବଢ଼ାଇବା ଦିଗରେ HAL ସୁନାବେଡ଼ା ଡିଭିଜନର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।