ଭୁବନେଶ୍ୱର: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ତେବେ ନିର୍ବାଚନ କଟକଣା, ଯୋଗ୍ୟ ପ୍ରାର୍ଥୀ, ନିର୍ବାଚନୀ ଖର୍ଚ୍ଚ ଏବଂ ମତଦାନ ଇତ୍ୟାଦିକୁ ନେଇ ବିଭାଗ କଡ଼ା ନିୟମାବଳୀ ଜାରି କରିଛି ।
ଯୋଗ୍ୟ ପ୍ରାର୍ଥୀ
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ହେବାକୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରାଯାଇଛି । ପ୍ରାର୍ଥୀ ହେବା ପାଇଁ ହେଲେ ୟୁଜି (UG) ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବ । ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବ । ଅର୍ଥାତ ପ୍ରାର୍ଥୀ କୌଣସି ପୂର୍ବ ପରୀକ୍ଷାରେ ଫେଲ୍ ହୋଇନଥିଲା । ଅତିକମରେ ୭୫% ଶ୍ରେଣୀ ଉପସ୍ଥାପନ ଥିବା ଆବଶ୍ୟକ । ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ ଥରେ ନିର୍ବାଚନ ଲଢ଼ିପାରିବେ । ଏକ୍ସିକ୍ୟୁଟିଭ୍ ସଦସ୍ୟ ପଦ ପାଇଁ ଦୁଇଥର ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଛାତ୍ର କିମ୍ବା ଛାତ୍ରୀଙ୍କର କୌଣସି ପୂର୍ବ ଅପରାଧିକ ରେକର୍ଡ ନ ଥିବା ଆବଶ୍ୟକ । ଯଦି ଅପରାଧିକ ରେକର୍ଡ ଥିବ ତେବେ ତାଙ୍କର ନାମାଙ୍କନ ଗ୍ରହଣ କରାଯିବ ନାହିଁ । କେବଳ ସେତିକି ନୁହେଁ ଯଦି କଲେଜରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବ ତାହା ସେ ପ୍ରାର୍ଥୀ ହୋଇପାରିବେ ନାହିଁ ।
ଛାତ୍ର ସଂସଦ ନିର୍ବାଚନରେ କୌଣସି ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ କିମ୍ବା ସେମାନଙ୍କର ଭୋଟ୍ ଦେବାର ଅଧିକାର ମଧ୍ୟ ରହିବ ନାହିଁ ।
ନିର୍ବାଚନ ଖର୍ଚ୍ଚ କଟକଣା
ଛାତ୍ର ସଂସଦ ନିର୍ବାଚନରେ ନିଜ ନିଜ ରାଜନୈତିକ ଦଳ ମାନେ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଥିବାରୁ ଅଭିଯୋଗ ଆସେ । ତେଣୁ ଏହା ଉପରେ କଟକଣା ଲାଗୁ କରାଯାଇଛି । ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ଏବଂ ଫଳାଫଳ ଘୋଷଣାର ୨ ସପ୍ତାହ ମଧ୍ୟରେ କଲେଜ/ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ବାଚନୀ ଖର୍ଚ୍ଚର ହିସାବ ଦେବେ । କଲେଜ କର୍ତ୍ତୃପକ୍ଷ ୨ ଦିନ ମଧ୍ୟରେ ସେହି ହିସାବକୁ ଉଚ୍ଚ ଶିକ୍ଷା ବିଭାଗର ପୋର୍ଟାଲ୍ (HIMS Portal)ରେ ଅପଲୋଡ୍ କରିବେ । ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଉଲ୍ଲଂଘନ କଲେ ନିର୍ବାଚନ ବାତିଲ ମଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କୌଣସି ପ୍ରାର୍ଥୀ ରାଜନୈତିକ ଦଳଠାରୁ ଟଙ୍କା ନେବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସ୍ୱେଚ୍ଛାକୃତ ଅବଦାନ ବ୍ୟତୀତ ଅନ୍ୟ କୌଣସି ଉତ୍ସରୁ ଟଙ୍କା ନେଇପାରିବେ ନାହିଁ ।
ପ୍ରଚାର କଟକଣା
କ୍ୟାମ୍ପସ ପ୍ରଚାର ଉପରେ ମଧ୍ୟ ନିୟମ ରହିଛି । କୌଣସି ପ୍ରାର୍ଥୀ କିମ୍ବା ତାଙ୍କ ସହଯୋଗୀ ଅପମାନଜନକ କିମ୍ବା ଆପତ୍ତିଜନକ ଭାଷାର ପ୍ରୟୋଗ କରିପାରିବେ ନାହିଁ । କେହି ବ୍ୟକ୍ତିଗତ ଆକ୍ରମଣ କରିପାରିବେ ନାହିଁ । ଭିତ୍ତିହୀନ ଅଭିଯୋଗକୁ ମଧ୍ୟ ଗ୍ରହଣ କରାଯିବ ନାହିଁ । ଯଦି କେହି ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବା ଅଭିଯୋଗ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ବା ଏଆଇର ବହୁଳ ବ୍ୟବହାର ହେଉଛି । ତେଣୁ ଏଆଇ ଦ୍ୱାରା ପ୍ରସ୍ତୁତ ଫେକ୍ କଣ୍ଟେଣ୍ଟ ପ୍ରଚାର କରିବା ମନା ।
ଛାତ୍ର ସଂସଦ ନିର୍ବାଚନରେ ବ୍ୟବହୃତ ମୁଦ୍ରିତ ପୋଷ୍ଟର ଏବଂ ପାମ୍ପଲେଟ୍ ବାହାରେ ବ୍ୟବହାର କରାଯାଇ ପାରିବ ନାହିଁ । କେବଳ ହାତ ତିଆରି ପୋଷ୍ଟର ବ୍ୟବହାର କରିପାରିବେ । କ୍ୟାମ୍ପସ ବାହାରେ ଶୋଭାଯାତ୍ରା, ବୈଠକ କିମ୍ବା ପ୍ରଚାର ପ୍ରସାର ଉପରେ କଟକଣା ଲାଗୁ କରାଯାଇଛି । କେବଳ କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ଶୋଭାଯାତ୍ରା ଓ ବୈଠକ ଆୟୋଜିତ ହୋଇ ପାରିବ ଏବଂ ଏଥିପାଇଁ ଆଗୁଆ ଲିଖିତ ଅନୁମତି ନେବାକୁ ମଧ୍ୟ ପଡ଼ିବ । ସେହିପରି କଲେଜ କିମ୍ବା ବିଶ୍ଵବିଦ୍ୟାଳୟର କୌଣସି ସମ୍ପତ୍ତି ନଷ୍ଟ କରିପାରିବେ ନାହିଁ ।
୧୫ ଅକ୍ଟୋବର, ଛାତ୍ର ସଂସଦ ନିର୍ବାଚନ
ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୭ ତାରିଖରେ ଆସିବ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୯ ତାରିଖରେ ନାମାଙ୍କନ ଦାଖଲ ଏବଂ ୧୦ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର, ୩ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୧୪ ତାରିଖରେ ଅନୁଷ୍ଠିତ ହେବ ‘ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂ। ଏହାପରେ ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ। ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଦଶହରା ଛୁଟି ଆରମ୍ଭ ହେବା ପୂର୍ବରୁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ। ଅକ୍ଟୋବର ୧୫ ତାରିଖରେ ସାରା ରାଜ୍ୟରେ ଏକାସାଙ୍ଗରେ ଭୋଟ୍ ଗ୍ରହଣ କରାଯିବ।