ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ବିଗୁଲ ବାଜି ସାରିଛି । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ବିଜେପି ଐତିହାସିକ ନିଷ୍ପତି ବୋଲି କହିଥିବାବେଳେ ବିଜୁ ଛାତ୍ର ଜନତା ଦଳ ଏହାକୁ ସ୍ୱାଗତ କରିଥିବା ତରବରିଆ ନିଷ୍ପତି କହିଛି ।
ବିଜେପି ମୁଖ୍ୟମନ୍ତ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ଯେ ଓଡିଶାରେ ଛାତ୍ରଛାତ୍ରୀ ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ଐତିହାସିକ l ଏହା ଓଡିଶାର ସମଗ୍ର ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାରର ବିଜୟ l ଏହି ନିଷ୍ପତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସେ ଧନ୍ୟବାଦ ଜଣାଇଚନ୍ତି ।
ବିଶ୍ୱାଳ ଆହୁରି କହିଛନ୍ତି ଯେ ଓଡିଶାରେ ନୂତନ ନେତୃତ୍ୱ ସୃଷ୍ଟି କରିବା ପାଇଁ ଏହି ନିଷ୍ପତି ସହାୟକ ହେବ l ଆଜିର ଛାତ୍ରଛାତ୍ରୀମାନେ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ l କ୍ୟାମ୍ପସ ନିର୍ବାଚନ ଦେଶରେ ନୂଆ ନେତୃତ୍ୱ ସୃଷ୍ଟି କରିବା, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀମାନଙ୍କର ଭୂମିକାକୁ ଆହୁରି ସଶକ୍ତ କରିବ l
ଅନିଲ ବିଶ୍ୱାଳ ବିଜେଡ଼ିକୁ ଟାର୍ଗେଟ୍ କରି କହିଛନ୍ତି ଯେ ଅନେକ ଦିନ ଧରି ବିଜୁ ଜନତା ଦଳର ପୂର୍ବ ସରକାର ଦ୍ୱାରା ଓଡିଶାରେ ଛାତ୍ରଛାତ୍ରୀ ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯିଏ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ ସେ ଲମ୍ବା ସମୟ ପାଇଁ ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରିଥିଲେ l ଓଡ଼ିଶାରେ 5T ଭଳି ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଆରମ୍ଭ କରିଥିବା ବିଜୁ ଜନତା ଦଳ ଚାହୁଁନଥିଲା ଯେ ଓଡିଶାରେ କଲେଜ କ୍ୟାମ୍ପସରୁ ମଧ୍ୟ ଯୁବ ନେତୃତ୍ୱ ନବାହାରନ୍ତୁ l ଏହା ଓଡିଶାର ଯୁବ ବର୍ଗଙ୍କ ବିରୋଧରେ ଏକ ଗଭୀର ଷଡଯନ୍ତ୍ର l
ଅନିଲ ବିଶ୍ୱାଳ ବିଜେଡ଼ି ନେତାଙ୍କୁ ପ୍ରଶ୍ନ କରିଛନ୍ତି, “ଆଜି ବିଜେଡିର ଯେଉଁ ମାନେ ଗଣମାଧ୍ୟମରେ ବେଶି ପାଟି କରୁଛନ୍ତି ସେମାନେ ସ୍ପଷ୍ଟ କରିବା ଆବଶ୍ୟକ ଯେ ଯେତେବେଳେ କ୍ରମାଗତ ଭାବରେ ବର୍ଷ ପରେ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା ସେତେବେଳେ କାହଁକି ସେମାନଙ୍କ ପାଟିରେ ତାଲା ପଡିଥିଲା?” ଏହା ସହିତ ନିର୍ବାଚନ ପ୍ରକ୍ରିୟାରେ ସକାରାତ୍ମକ ଆଲୋଚନା ଏବଂ ସୁସ୍ଥ ବାତାବରଣ ସମସ୍ତଙ୍କ ପ୍ରାଥମିକତାରେ ରଖିବାକୁ ଅନୁରୋଧ କରିଛନ୍ତି । ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିବା ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା l
ସେପଟେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପସିତା ସାହୁ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଥିବାବେଳେ ଏହା ତରବରିଆ ନିଷ୍ପତି ବୋଲି କହିଛନ୍ତି । ସରକାର କାହିଁକି ତରବରିଆ ଭାବେ ଘୋଷଣା କରିଛନ୍ତି ସେ ପ୍ରଶ୍ନ କରିଛନ୍ତି । କୁଳପତିଙ୍କୁ ଡାକି ବୈଠକ କରି ନିର୍ବାଚନ ଜିତାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଇପସିତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।