ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ କେଶରୀ ନଗର ସର୍କଲର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ । ସୋମବାର ଜଣେ ଆବେଦନକାରୀଙ୍କ ଠାରୁ ୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ କାବୁ କରିଛି।
ଅଭିଯୋଗକାରୀ ନିଜ ମାଆ ଏବଂ ସାନ ଭାଇଙ୍କ ମୃତ୍ୟୁ ପରେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର (Legal Heir Certificate) ପାଇଁ ଅନଲାଇନ୍ରେ ଆବେଦନ କରିଥିଲେ।ଆବେଦନକାରୀ ନିରଞ୍ଜନ ସିଂଙ୍କୁ ୩-୪ ଥର ଭେଟି ଅନୁରୋଧ କରିଥିଲେ ମଧ୍ୟ ସେ ତଦନ୍ତ ରିପୋର୍ଟ ଆଗକୁ ବଢ଼ାଇବାରେ ବିଳମ୍ବ କରିଥିଲେ ଏବଂ ଏହାକୁ ଅନଲାଇନ୍ରେ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଇବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଏ ସମ୍ପର୍କରେ ସୂଚନା ପାଇ ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଏକ ଜାଲ ବିଛାଇଥିଲା ଏବଂ ଲାଞ୍ଚ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା।
ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ନିରଞ୍ଜନ ସିଂଙ୍କ ସହ ଜଡ଼ିତ ୨ଟି ସ୍ଥାନରେ ଚଢ଼ାଉ କରାଯାଇ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଛାନଭିନ କରାଯାଉଛି।