ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ତଦନ୍ତ କରିଥିବା ନାଇଡୁ କମିଶନ ଫାଇଲ୍ ଗୃହ ବିଭାଗ କାର୍ଯ୍ୟାଳୟରୁ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କ ବୟାନ ରେକର୍ଡ କରିଛି । ଏହା ସହିତ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି ଫାଇଲ ଚୋରି ହୋଇଛି କିମ୍ବା ହଜିଛି ତାହା ତଦନ୍ତରୁ ଏଯାଏ ସ୍ପଷ୍ଟ ହୋଇ ନାହିଁ । ତେଣୁ ତଦନ୍ତ ଶେଷ ହୋଇନଥିବାରୁ ଏହାକୁ ‘ଫାଇଲ୍ ଚୋରି’ ବୋଲି କହିବା ଉଚିତ ହେବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୦୮ ମସିହାରେ ହୋଇଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ହୋଇଥିଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ବିଚାରପତି ଶରତ ଚନ୍ଦ୍ର ନାଇଡୁ ତଦନ୍ତ କରିଥିଲେ । ୨୦୧୬ ସେପ୍ଟେମ୍ବର ୧୯ ତାରିଖରେ ଏହାର ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେହିପରି ସମ୍ ହସ୍ପିଟାଲ୍ ଆର୍ଡିସି ତଦନ୍ତ ରିପୋର୍ଟ ମେ’ ୨୩, ୨୦୧୮ରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିବାବେଳେ ସେଠାରୁ ମେ’ ୨୪, ୨୦୧୮ରେ ସିଏମ୍ଓକୁ ଯାଇଥିଲା। କିନ୍ତୁ ଏହି ଦୁଇଟି ଫାଇଲ୍ ବିର୍ତ୍ତମାନର ସରକାରଙ୍କୁ ମିଳୁ ନାହିଁ । ଏହି ମାମଲାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଜେରା କରାଯାଉଛି ।