କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରେ ଏକ ଅଘଟଣ ଘଟିଯାଇଛି । ମଙ୍ଗଳବାର ସକାଳେ ଜଣେ ଯୁବକ ଏସସିବି ପରିସରରେ ଥିବା ପାଣି ଟାଙ୍କି ଉପରକୁ ଚଢ଼ି ୮୦ ଫୁଟ୍ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଯୁବକ ଜଣକ ହେଲେ ଯାଜପୁର ଟାଉନର ରାଜେଶ ପରିଡ଼ା । ସେ ଜଣେ ମାନସିକ ରୋଗୀ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ସୂଚନା ମୁତାବକ, ଯାଜପୁର ଟାଉନ ଥାନା ଅଞ୍ଚଳର ବାସିନ୍ଦା ରାଜେଶ ପରିଡ଼ାଙ୍କର ଗତ କିଛି ଦିନ ହେବ ମାନସିକ ବିକୃତି ଦେଖାଦେଇଥିଲା । ଗତକାଲି ତାଙ୍କ ପରିବାର ଲୋକେ ତାଙ୍କୁ ଏସସିବି ମେଡ଼ିକାଲରେ ଚିକିତ୍ସା କରାଇବାକୁ ଆଣିଥିଲେ । ତାଙ୍କୁ ଟ୍ରମା କାର୍ଯ୍ୟାଳୟରେ ଚିକିତ୍ସା କରାଯାଇଥିଲା । ଏହା ପରେ ତାଙ୍କୁ ମାନସିକ ବିଭାଗକୁ ପଠାଇ ଦେଇଥିଲେ ।
ଆଜି ସକାଳ 9ଟାରେ ରାଜେଶଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଆଉଟ୍ ଡୋରରେ ଦେଖାଇବାର ଥିଲା । ସେଥିପାଇଁ ବାପା ମାଆ ରାଜେଶଙ୍କୁ ଧରି ବସିଥିଲେ । ଏହି ସମୟରେ ରାଜେଶ ହଠାତ୍ ବାପା ମାଆଙ୍କ ହାତ ଛାଡ଼ି ଦୌଡ଼ି ଥିଲେ । ନିକଟସ୍ଥ ତାରିଣୀ ମନ୍ଦିର ନିକଟରେ ଥିବା ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ । ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସମସ୍ତେ ତାଙ୍କୁ ତଳକୁ ଓହ୍ଲାଇ ଆସିବାକୁ କହିଥିଲେ । ମାତ୍ରେ ସେ ଶୁଣି ନ ଥିଲେ । ପ୍ରାୟ ଅଧଘଣ୍ଟା ଧରି ସେ ପାଣି ଟାଙ୍କି ଉପରେ ରହିଥିଲେ । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବାକୁ ବ୍ୟବସ୍ଥା କରୁ କରୁ ସେ ୮୦ ଫୁଟ୍ ତଳକୁ ଡେଇଁ ପଡ଼ିଥିଲେ ।
ରାଜେଶଙ୍କ ମୁଣ୍ଡ, ଗୋଡ଼, ହାତ ଏବଂ ଛାତିରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଏସସିବି ପରିସରରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗିରହିଥିଲା । ପୋଲିସର ବୁଝାସୁଝା ପରେ ମାମଲା ଶାନ୍ତ ପଡ଼ିଥିଲା ।
ଏହା ମଧ୍ୟ ଜଣାପଡ଼ିଛି ଯେ ଗତ କିଛି ଦିନ ତଳେ ରାଜେଶ ତାଙ୍କ ଘର ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରେ ଚଢ଼ି ତଳକୁ ଡେଇଁ ପଡ଼ିଥିଲେ । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା । ଯାହା ପରେ ପରିବାର ଲୋକ ତାଙ୍କୁ ଚିକିତ୍ସା କରିବାକୁ ଏସସିବି ଆଣିଥିଲେ ।