ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କେନ୍ଦ୍ର ମନ୍ତ୍ରୀ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ୟୁନିଟ୍ ପରିଦର୍ଶନ କରିବେ। ହାଲ୍ ପରିସରରେ ପ୍ରତିରକ୍ଷା ଉତ୍ପାଦନ, ଇଞ୍ଜିନ୍ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ସମୀକ୍ଷା କରିବେ । ଏହାସହ ସୁଖୋଇ-୩୦ ଏମକେଆଇ (Sukhoi-30 MKI) ଏବଂ ଇଞ୍ଜିନ ନମ୍ବର ୨୦୦୦ର ପ୍ରସ୍ତୁତି ନେଇ ମଧ୍ୟ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ ।
କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁନାବେଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତର ସ୍ୱାବଲମ୍ବୀ ଅଭିଯାନକୁ ଆଗକୁ ବଢ଼ାଇବା ଦିଗରେ ହାଲ୍, ସୁନାବେଡ଼ା ଡିଭିଜନର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।