ଖବର ଓଡ଼ିଶା: ଆଜି ସାରା ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି । ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ଶ୍ରୀଯୁକ୍ତ ମାଝୀ । ଏହି ପବିତ୍ର ଦିନରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି । ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତର ସ୍ଵାଧୀନତା ସଂଗ୍ରାମ ଦେଶର ଅନନ୍ୟ ଅଧ୍ୟାୟ ଓ ଏହା ଇଂରେଜମାନଙ୍କ ମୁଳଦୁଆ ଦୋହଲାଇ ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସ୍ୱାଧୀନତା ଦିବସ ଓଡ଼ିଶାର ଅସ୍ମିତାକୁ ପୁଣି ଦୋହରାଇଛନ୍ତି । ସେ କହିଛନ୍ତି ଯେ ଆମର ଇତିହାସ ଗୌରବ ମହ ଏବଂ ଆମର ସଂସ୍କୃତି ଅତୁଳନୀୟ । ଓଡ଼ିଆ ଅସ୍ମିତା ଉପରେ କୁଠାର ହୋଇଛି, ଓଡ଼ିଆ ଜାତି ସଂଗ୍ରାମ କରି ଅସ୍ମିତାକୁ ପୁନର୍ଗଠନ କରିଛି । ଆଜିର ଦିନ ଆହ୍ୱାନ ଓ ଜାଗରଣର ଦିନ । ମୁଁ ମାଟିର ମଣିଷ । ମାଟି ପାଇଁ କାମ କରିବି । ମୁଁ ବଡ଼ ବଡ଼ ସ୍ୱପ୍ନ ଦେଖାଏବାରେ ବିଶ୍ୱାସ କରେ ନାହିଁ । କିନ୍ତୁ ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବି ।
ମହାପ୍ରଭୁଙ୍କ ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଓଡ଼ିଆ ଅସ୍ମିତା ପାଇଁ ପାଣ୍ଠି ସଂଗ୍ରହ କରିବା, ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ଭଳି ଅନେକ ପ୍ରତିଶ୍ରୁତି ସରକାର ଗଠନର ପ୍ରଥମ ୬୦ ଦିନରେ ପୁରଣ କରିଛୁ । ସେହିପରି ଚାଷୀ ଓ ମହିଳାଙ୍କ ପାଇଁ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି । ଏଥିପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି । ଧାନର ଏମଏସପି ବୃଦ୍ଧି ଓ ସୁଭଦ୍ରା ଯୋଜନା ଆରମ୍ଭ ହେବ । ଏହା ଗ୍ରାମାଞ୍ଚଳର ଅର୍ଥନୀତିକୁ ଚଳଚଞ୍ଚଳ କରିବ । ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମାଜର ସବୁ ବର୍ଗର ଉନ୍ନତି ପାଇଁ ସରକାର କାମ କରୁଛୁ ବୋଲି ସେ କହିଛନ୍ତି ।