ମସ୍କୋ, ମେ ୧୧ (ଖବର ଓଡ଼ିଶା): ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ୟୁକ୍ରେନ୍ ଛାଡ଼ି ଲକ୍ଷାଧିକ ଲୋକ ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି । ୟୁକ୍ରେନ୍କୁ ନାଟୋ ଓ ବିଦେଶୀ ରାଷ୍ଟ୍ରର ସମର୍ଥନ ମିଳୁଥିବା ବେଳେ ରୁଷିଆକୁ ଚାରିଆଡୁ ବିରୋଧ ହୋଇଛି । ଏହାରି ମଧ୍ୟରେ ରୁଷିଆର ସ୍ପେସ ଏନାର୍ଜି ରସକସମସ ପ୍ରମୁଖ ଦିମିତ୍ରୀ ରୋଗୋଜିନ ଧମକ ଦେଇଛନ୍ତି ଯେ, ଯଦି ପରମାଣୁ ଯୁଦ୍ଧ ହୁଏ, ତା’ହେଲେ ନାଟୋ ଦେଶ ସମୁହ ଅଧ ଘଣ୍ଟା ଭିତରେ ଶେଷ କରିଦିଆଯିବ । ଦିମିତ୍ର ନିଜର ଧମକ ବୟାନ ପାଇଁ ବେଶ ଜଣାଶୁଣା । ୟୁକ୍ରେନ୍ ଉପରେ କହିବା ପରେ ଦିମିତ୍ରୀ ଲଗାତାର ବିଶ୍ୱବାସୀଙ୍କୁ ଡରାଇବା ଭଳି ବୟାନ ଦେଇଆସୁଛନ୍ତି ।
ଗତ ସପ୍ତାହରେ ଖବର ଆସିଥିଲା ଯେ, ଦିମିତ୍ରୀ ରୋଗେଜିନ ସ୍ପେସଏକ୍ସ କଂପାନୀର ମାଲିକ ଓ ଆମେରିକୀୟ କୋଟିପତି ଏଲନ ମସ୍କଙ୍କୁ ଧମକ ଦେଇଥିଲେ । ଏହା ପୂର୍ବରୁ ସେ ସ୍ପେସ ଷ୍ଟେସନ ହଟାଇବା ଓ ସ୍ପେସ ଷ୍ଟେସନକୁ ଖସାଇବା ପାଇଁ ମଧ୍ୟ ଧମକ ଦେଇଥିଲେ । ଦିମିତ୍ରୀ ନିଜର ଟେଲିଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ଯେ, ୟୁକ୍ରେନ୍ର ସେନା ୩୬ତମ ମରୀନ ବ୍ରିଗେଡର କମାଣ୍ଡର କର୍ଣ୍ଣେଲ ଦିମିତ୍ରୀ କୋର୍ମିୟାଗୋଭଙ୍କୁ ପଚରାଉଚରାରୁ ଜଣାପଡ଼ିଛି ଯେ, ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଇଣ୍ଟରନେଟ ସାଟେଲାଇନ୍ ଟର୍ମିନାଲକୁ ୟୁକ୍ରେନ୍ ମରୀନ୍ସ ଓ ନାଜୀ ଅଜୋଭ ବାଟାଲିୟନକୁ ଦିଆଯାଇଛି । ଏଥି ପାଇଁ ମାରିୟୁପୋଲରୁ ସେନା ହେଲିକପ୍ଟର ଉପଯୋଗ କରାଯାଇଥିଲା ।