ଜେନିଭା, ଜୁନ୍ ୧୫ (ଖବର ଓଡ଼ିଶା): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଗେବ୍ରେୟେସସ ମଙ୍ଗଳବାର କହିଛନ୍ତି ଯେ, ମଙ୍କିପକ୍ସର ବୈଶ୍ୱିକ ପ୍ରକୋପ ସ୍ୱଷ୍ଟ ରୂପେ ଅସାଧାରଣ ଓ ଚିନ୍ତାଜନକ । ଗେବ୍ରେୟେସସ ଆସନ୍ତା ସପ୍ତାହରେ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି ।
ପ୍ରସ୍ତାବିତ ବୈଠକରେ ଏହା ଆକଳନ କରାଯିବ ଯେ, ମଙ୍କିପକ୍ସର ଏହି ପ୍ରକୋପ ଅନ୍ତର୍ଜାତୀୟ ଚିନ୍ତାର ସର୍ବସାଧାରଣ ସ୍ୱାସ୍ଥ୍ୟ ଜରୁରୀକାଳନୀ କି ନୁହେଁ । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୩୯ଟି ଦେଶରେ ୧୬୦୦ରୁ ଅଧିକ ଲୋକ ମଙ୍କିପକ୍ସ ସଂକ୍ରମଣର ଶିକାର ହୋଇଛନ୍ତି । ସେ କହିଛନ୍ତି ଯେ, ୭ଟି ଦେଶରେ ବହୁ ବର୍ଷ ହେଲା ମଙ୍କିପକ୍ସ ଚିହ୍ନଟ ହୋଇଛି । କିନ୍ତୁ ୩୨ ଦେଶରେ ପ୍ରଥମ ଥର ସଂକ୍ରମଣ ବ୍ୟାପିଛି । ଚଳିତ ବର୍ଷ ପ୍ରଥମ ଥର ପ୍ରଭାବିତ ହୋଇଥିବା ଦେଶଗୁଡ଼ିକରେ ମଙ୍କିପକ୍ସ ଯୋଗୁଁ କାହାରି ମୃତ୍ୟୁ ହୋଇନାହିଁ । କିନ୍ତୁ ପୂର୍ବରୁ ଯେଉଁ ଦେଶଗୁଡ଼ିକରେ ମଙ୍କିପକ୍ସ ସଂକ୍ରମଣ ଥିଲା ସେଠାରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି ।