ୱାଶିଂଟନ, ନଭେମ୍ବର ୨୪ (ଖବର ଓଡ଼ିଶା): ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ନିଜର କ୍ୟାବିନେଟର ପ୍ରମୁଖଙ୍କ ନାମ ଘୋଷଣା କରିଛନ୍ତି । ଓବାମା ଓ ବାଇଡେନଙ୍କ କାର୍ଯ୍ୟକାଳରେ ଡେପୁଟି ସଚିବର ଭୂମିକା ତୁଲାଇଥିବା ଆଣ୍ଟନି ବ୍ଲିଙ୍କେନଙ୍କୁ ସେକ୍ରେଟାରୀ ଅଫ ଷ୍ଟେଟ ନାମିତ କରାଯାଇଛି । ଆଇନଜୀବୀ ଏଲେଜାନ୍ଦ୍ରୋ ମୟୋରକାସଙ୍କୁ ସେକ୍ରେଟେରୀ ଅଫ ହୋମଲ୍ୟାଣ୍ଡ ସିକ୍ୟୁରିଟୀ ପଦ ମିଳିଛି । ଏଲେଜାନ୍ଦ୍ରୋ ଓବାମା-ବାଇଡେନ କାର୍ଯ୍ୟକାଳରେ ହୋମଲ୍ୟାଣ୍ଡ ସିକ୍ୟୁରିଟୀର ଡେପୁଟି ସେକ୍ରେଟେରୀ ପଦରେ ଅବସ୍ଥାପିତ ଥିଲେ ।
ବାଇଡେନ କାର୍ଯ୍ୟାକଳ ଲାଗି ଏଭରିଲ ହେନ୍ସଙ୍କୁ ଡାଇରେକ୍ଟର ଅଫ ନ୍ୟାସନାଲ ଇଣ୍ଟେଲିଜେନ୍ସ ନିଯୁକ୍ତ କରାଯାଇଛି । ଏଭରିଲ ପାଖାପାଖି ଏକ ଦଶନ୍ଧିରୁ ଅଧିକ ସମୟ ବାଇଡେନଙ୍କ ଲାଗି ବିଭିନ୍ନ ପଦରେ କାମ କରିସାରିଛନ୍ତି । ହେନ୍ସ ଏହି ପଦ ଲାଗି ନାମିତ ହୋଇଥିବା ପ୍ରଥମ ମହିଳା । ବାଇଡେନ ସଂଯୁକ୍ତ ରାଷ୍ଟ୍ର ଲାଗି ରାଷ୍ଟ୍ରଦୂତ ଭାବେ ଲିଣ୍ଡା ଟମ୍ସ ଗ୍ରୀନଫିଲ୍ଡଙ୍କ ନାମ ନିର୍ବାଚନ କରିଥିଲେ । ଜୋ ବାଇଡେନ ଜେକ ସୁଲ୍ଲିଭନଙ୍କୁ ନ୍ୟାସନାଲ ସିକ୍ୟୋରିଟି ଆଡଭାଇଜର ନିଯୁକ୍ତି କରିଛି । ବାଇଡେନ ପୂର୍ବତନ ବିଦେଶ ମନ୍ତ୍ରୀ ଜନ କେରିଙ୍କୁ ଜଳବାୟୁ ଲାଗି ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଦୂତ ପଦବୀରେ ନାମିତ କରିଛନ୍ତି । କେରୀ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ଏହି ପଦରେ ବସିବାକୁ ଥିବା ପ୍ରଥମ ଅଧିକାରୀ ହେବେ ।
ଓବାମା ପ୍ରଶାସନରେ ଜିଲ ବାଇଡେନଙ୍କ ସାମାଜିକ ସେକ୍ରେଟେରୀ ରହିଥିବା କାର୍ଲୋସ ଏଲିହୋନ୍ଦ୍ରୋ ଏବେ ଏହି ପଦ ଜାରି ରଖିବେ । ମାଲା ଅଡିଗା ଜିଲଙ୍କ ପଲିସି ଡାଇରେକ୍ଟର ଭାବେ କାମ କରିବେ । ତାଙ୍କ କାମ ହେବ ଫାର୍ଷ୍ଟ ଲେଡି ଭାବେ ଜିଲର ପ୍ରାଥମିକତା ନିର୍ଦ୍ଧାରଣ କରିବା ।