ନୂଆଦିଲ୍ଲୀ, ଜୁନ୍ ୧୧ (ଖବର ଓଡ଼ିଶା): ହଲିଉଡର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ଜଷ୍ଟିନ୍ ବୀବର ଛୁଟିରେ ଅଛନ୍ତି । ଲଗାତାର କନସର୍ଟ କରୁଥିବା ଜଷ୍ଟିନ୍ ଏବେ ନିଜର ଶରୀରକୁ କିଛି ସମୟ ପାଇଁ ବିଶ୍ରାମ ଦେବାକୁ ଚାହିଁଛନ୍ତି । ଏହାର କାରଣ ହେଲା ସେ ଏକ ବିରଳ ରୋଗରେ ପୀଡିତ ଅଛନ୍ତି । ଜଷ୍ଟିନ ବୀବର ସାମାଜିକ ଗଣମାଧ୍ୟମରେ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି ରାମସେ ହଣ୍ଟ ସିଡ୍ରୋମ୍ ନାମରେ ଏକ ରୋଗରେ ପୀଡିତ ଅଛନ୍ତି । ଏହାରି କାରଣରୁ ତାଙ୍କର ମୁହଁରେ ପାରାଲିସି ହୋଇଛି ।
ଇନଷ୍ଟାଗ୍ରାମରେ ଜଷ୍ଟିନ୍ ବୀବର ନିଜର ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କୁ କହିଛନ୍ତି ଯେ, ସେ ନିଜର କନସର୍ଟକୁ କାହିଁକି ବାତିଲ କରୁଛନ୍ତି । ଭିଡିଓରେ ଜଷ୍ଟିନ କହୁଛନ୍ତି, ଏହି ରୋଗ ମୋତେ ଏକ ସଂକ୍ରମଣ ଯୋଗୁଁ ହୋଇଛି । ଏହାରି କାରଣରୁ ମୁହଁରେ ପାରାଲିସିସ ହୋଇଯାଇଛି । ଆପଣ ଦେଖିପାରିବେ ଯେ, ଏକ ଆଖି ଠିକ୍ରେ ଖୋଲୁନାହିଁ । ଗୋଟିଏ ପଟରେ ମୁଁ ହସି ପାରୁନାହିଁ । ଏପରିକି ମୋର ନାକକୁ ମଧ୍ୟ ଯନ୍ତ୍ରଣା ହେଉଛି ।