ବରଗଡ, ଜାନୁଆରୀ ୧୪(ଖବର ଓଡିଶା):
ବିଶ୍ୱପ୍ରସିଦ୍ଧ ୭୦ତମ ବରଗଡ ଧନୁଯାତ୍ରାର ଆଜି ହେଉଛି ଚତୁର୍ଥ ଦିନ । ଚାରିଦିନ ଧରି ବରଗଡ ସହର ପାରମ୍ପରିକ ବାଦ୍ୟ ସହ ନାଚଗୀତରେ କୋଳାହଳମୟ ହୋଇ ପଡିଛି । ବରଗଡ ମଥୁରା ନଗରୀ ଓ ଆମ୍ବାପାଲି ଗୋପପୁର ପାଲଟିଥିବାବେଳେ ଜୀରାନଦୀ ଯମୁନାନଦୀ ଭାବରେ ରୂପାନ୍ତରିତ ହୋଇଛି ।
କଂସର ପ୍ରତାପ ଓ ଅଟ୍ଟହାସ୍ୟରେ କମ୍ପୁଛି ମଥୁରାନଗରୀ । ଲକ୍ଷାଧିକ ଭକ୍ତ ଦୀର୍ଘ ଚାରିଦିନ ଧରି ଧନୁଯାତ୍ରାର ମଜା ନେଉଛନ୍ତି । ମୁକ୍ତାକାଶ ରଂଗମଂଚ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରିଛି । ତେବେ ସମସ୍ତ ବରଗଡବାସୀ ଏହି ରଂଗମଂଚରେ ଜଣେ ଜଣେ କଳାକାର ପାଲଟି ଯାଇଛନ୍ତି ।
ଆଜି ଚତୁର୍ଥ ଦିନରେ କଂସର ମନ୍ତ୍ରଣାରେ ପୁତନା, ବକାସୁର, ସକଟା ଗୋପପୁରକୁ ପ୍ରେରିତ ହେବା ସହ ମୁକ୍ତେଶ୍ୱର ବାବାଙ୍କର ରୁଦ୍ରାଭିଷେକ, ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଇତ୍ୟାଦି ଅନୁଷ୍ଠିତ ହେବ । ଗତକାଲି କଂସ ସାମେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ପରେ ଦେବକୀଙ୍କ ଅଷ୍ଟମ ସନ୍ତାନ ପ୍ରସବ ଖବର ପାଇ କାରାଗାରକୁ ପ୍ରବେଶ କରିଥିଲେ । ଏହି ଖବର ଦେବାରେ ବିଳମ୍ବ କରିଥିବାରୁ ଦାସୀଙ୍କୁ ହତ୍ୟା କରିଥିଲା ଦୁରାଚୀରୀ କଂସ । ସେହିପରି ଗୋପପୁରରେ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଥିଲା ।