ଚୈତ୍ର ଯାତ୍ରା ପାଇଁ ଚଳଚଞ୍ଚଳ ତାରାତାରିଣୀ ପୀଠ । ପୂର୍ଣ୍ଣମୀ ପରଠାରୁ ଚୈତ୍ର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶକ୍ତି ପୀଠ । ଏଥିପାଇଁ ମଙ୍ଗଳବାର ଠାରୁ ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ତାରାତାରିଣୀ । ଚୈତ୍ର ମାସରେ ସେଠାରେ ମହାଆଡମ୍ବର ଚୈତ୍ର ଯାତ୍ରା ପାଳନ କରାଯାଇଥାଏ । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ତାରାତାରିଣୀ ପୀଠ ।
ଏହି ଅବସରରେ ତାରାତାରିଣୀ ପୀଠରେ ନାହିଁ ନଥିବା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ମହାକାଳୀ ରୂପରେ ମା ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ମା' ତାରାତାରିଣୀଙ୍କ ପୀଠରେ ଚୈତ୍ର ଯାତ୍ରା ଆରମ୍ଭ ହୋଇଥିବା ବେଳେ ପ୍ରଥମ ମଙ୍ଗଳବାର ଦିନ ମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦକ୍ଷିଣ ଓଡ଼ିଶାର ଏହି ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠରେ ଚୈତ୍ର ମାସର ପ୍ରତି ମଙ୍ଗଳବାର ପାଳିରେ ଚୈତ୍ର ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଭିନ୍ନ ଭିନ୍ନ ବେଶରେ ମା' ତାରାତାରିଣୀ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି । ମା'ଙ୍କର ଏହି ଯାତ୍ରାରେ ଭକ୍ତଙ୍କ ମନକୁ ଯେପରି ଏକ ଆଧ୍ୟାତ୍ମିକ ପରିବେଶରେ ପବିତ୍ରତା ଆଡକୁ ଟାଣିନେଇଥାଏ । ପ୍ରତିବର୍ଷ ଚୈତ୍ର ମଙ୍ଗଳବାରରେ ମାନସିକଧାରୀମନେ ପାରମ୍ପରିକ ରୀତିନୀତିରେ ମୁଣ୍ଡନ କରାଇ ପୂଜାର୍ଚ୍ଚନା କରିଥାନ୍ତି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଚୈତ୍ର ଯାତ୍ରା ଅବସରରେ ମାନସିକଧାରୀ ଭକ୍ତମାନେ ନିଜ ପିଲାଙ୍କୁ ଆଣି ମୁଣ୍ଡନ କରାଇଥିଲେ । ଶତାଧିକ ଭକ୍ତଙ୍କ ମାନସିକଧାରୀ ପିଲାମାନେ ମୁଣ୍ଡନ ହୋଇ ପୂଜାର୍ଚ୍ଚନା କରିଥିଲେ । ଲମ୍ବା ଧାଡିରେ ଆସି ଭକ୍ତମାନେ ମା’ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଠିକ୍ ସେହିଭଳି ଶାନ୍ତିଶୃଙ୍ଖଳାର ସହିତ ମା’ଙ୍କୁ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିବା ସହ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା ।
ଅଧିକ ପଢନ୍ତୁ :ପଶ୍ଚିମ ଦ୍ବାରରେ ପ୍ରବଳ ଭିଡ