ୟାନି କାନ୍ୟାତ୍ରୀ ଲିଙ୍ଗାନି ସ୍ଥାବରାଣୀ ଚରାଣୀଚ
ତିଷୁ ସଂକ୍ରମତେ ଦେବତସ୍ୟାଙ୍ଗ ରାତ୍ରୋ ୟତୋ ହରାହ
ଶିବରାତ୍ରେ ସତଃ ପ୍ରୋକ୍ତା ତେନସା ହରି ବଲ୍ଲଭା ।
ଅର୍ଥାତ ଏ ସମଗ୍ର ବିଶ୍ୱରେ ଯେ କୌଣସି ସ୍ଥାନରେ ଶିବଲିଙ୍ଗ ରହିଛି ତାହା ଆକାରରେ ଛୋଟ ହେଉ ଅଥବା ବଡ ସେ ସବୁଥିରେ ଭଗବାନ ଶିବ ପବିତ୍ର ମହାଶିବ ରାତ୍ରରେ ଦିବ୍ୟ ରୂପରେ ସମାହିତ ହୁଅନ୍ତି ଏବଂ ନିଜ ଭକ୍ତ ମାନଙ୍କ ପୂଜା ସ୍ୱୀକାର କରନ୍ତି , ଭଗବାନ ବିଷ୍ଣୁଙ୍କୁ ମଧ୍ୟ ମହାଶିବରାତ୍ରି ଅତ୍ୟନ୍ତ ପ୍ରିୟ ଅଟେ । ଆଜି ହେଉଛି ପବିତ୍ର ଜାଗର ବା ମହାଶିବରାତ୍ର ।
ଏକ ବର୍ଷରେ ବାରଟି ଶିବରାତ୍ରି ପଡିଥାଏ ଯାହାକି ପ୍ରତେକ ମାସର ଚତୁର୍ଦ୍ଦଶୀରେ ପଡିଥାଏ କିନ୍ତୁ ଫାଲଗୁନ ମାସରେ ପଡୁଥିବା ଶିବରାତ୍ରି ମହାଶିବରାତ୍ରି ଅଟେ । ଏହିଦିନ ନିଷ୍ଠାର ସହିତ ମହାଦେବଙ୍କ ଆରାଧନା କରି ଉପବାସ ସହିତ ରାତ୍ର ଉଜାଗର ରହି ଦୀପଜାଳି ପ୍ରଭୁଙ୍କ ସ୍ମରଣ କଲେ ତାଙ୍କ ଆଶିଷ ମିଳିଥାଏ । ମହାଦୀପ ଉଠିବା ପରେ ମହାଶିବରାତ୍ରର ପରିସମାପ୍ତି ଘଟିଥାଏ । ବିଭିନ୍ନ ସନ୍ଥଙ୍କ ମତ ଅନୁସାରେ ଶିବରାତ୍ର ଦିନ ମହାଦେବ ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷ ପାନକରିଥିଲେ । ଅନ୍ୟ ଏକ ପୌରାଣିକ ମତ ଅନୁସାରେ ମହାଶିବରାତ୍ର ଦିନ ମହାଦେବ ଙ୍କ ସହିତ ମାତା ଆଦିଶକ୍ତିଙ୍କ ବିବାହ ହୋଇଥିଲା । ତାରକାସୁର ନାମକ ରାକ୍ଷସକୁ କେବଳ ମହାଦେବଙ୍କ ପୁତ୍ର ହିଁ ମାରିପାରିବ ବୋଲି ପ୍ରଜାପିତା ବ୍ରହ୍ମା ବରଦାନ ଦେଇଥିବାରୁ ସେ ସର୍ବଶକ୍ତିମାନ ବଳିୟାନ ହୋଇଥିଲା । ତାରକାସୁରର ବଦ୍ଧ ନିମନ୍ତେ ଶିବଙ୍କ ସହିତ ମାତା ପାର୍ବତୀଙ୍କ ମିଳନ କରିବା ପାଇଁ ଦେବତା ମାନେ ବହୁ ପ୍ରୟାସ କରିଥିଲେ ଏମିତିକି କାମଦେବଙ୍କ ସହାୟତା ବି ନେଇଥିଲେ ।
କାମଦେବ ହେଉଛନ୍ତି ପ୍ରେମର ଦେବତା । ସେ ମହାଦେବଙ୍କ ମନରେ ମାତା ପାର୍ବତୀଙ୍କ ପ୍ରେମଭାବ ଜାଗୃତ କରିବା ପାଇଁ ପ୍ରେମ ତୀର ଚଲାଇଥିଲେ କିନ୍ତୁ ତୀରଟି ମହାଦେବଙ୍କ ତୃତୀୟ ନୟନରେ ବାଜିଥିଲା ଫଳସ୍ୱରୂପ ତୃତିୟ ନୟନର ଅଗ୍ନିଜ୍ୱାଳାରେ କାମଦେବ ଜଳି ଭସ୍ମ ହୋଇଯାଇଥିଲେ । ତାପରେ ମାତା ପାର୍ବତୀ କଠୋର ତପସ୍ୟା କରି ମହାଦେବଙ୍କୁ ପ୍ରସନ୍ନ କରିଥିଲେ ଏବଂ ବିବାହ କରିଥିଲେ । ତେବେ ଅଜ୍ଞାନ ଏବଂ ଅନ୍ଧକାରରୁ ମୁକ୍ତି ନିମନ୍ତେ ଏହି ଦିନ ପାଳନ କରାଯାଏ । ଖାସ ସେଥି ପାଇଁ ଭକ୍ତ ମାନେ ନିଷ୍ଠାର ସହିତ ରାତ୍ର ଉଜାଗର ରହି ମନ ଓ ଚେତନାରେ ପରିବର୍ତ୍ତନ ଆଣିଥାନ୍ତି ।
ମହାଶିବରାତ୍ର ଏହି ତତ୍ୱ ମଧ୍ୟ ସୂଚାଇ ଥାଏ କି ସୃଷ୍ଟିର ସଂରଚନା ଏଭଳି ହୋଇଛି କି ଯେଉଁଠି ଅନ୍ତିମ ନିର୍ଣ୍ଣାୟକ ବିନ୍ଦୁରେ କେହିବି ପହଞ୍ଚି ପାରିବେ ନାହିଁ । ଅର୍ଥାତ ଜଗତର ପ୍ରତ୍ୟକ ପ୍ରାଣୀଙ୍କ ମଧ୍ୟରୁ କାହାକୁ ଛୋଟ ଆଉ କାହାକୁ ବଡ କୁହା ଯାଇପାରିବ ନାହିଁ । ସମୟର ଅବଶ୍ୟକତାରେ ଜଗତର ପ୍ରତ୍ୟକଟି ସୃଷ୍ଟି । ମହାଶିବ ରାତ୍ରରେ ପ୍ରତେକ ଶିବ ମନ୍ଦିରରଚୂଡ଼ାକୁ ମହାଦୀପ ଉଠିଥାଏ । ମହାଦେବଙ୍କ ପୂଜାପରେ ମନ୍ଦିର ବେଢା ପରିକ୍ରମା ହୋଇଥାଏ ଶେଷରେ ବିଳମ୍ବିତ ରାତିରେ ମନ୍ଦୀରଚୂଡ଼ାକୁ ମହାଦୀପ ଉଠିଥାଏ । ଶ୍ରୀ ମନ୍ଦିରରେ ପ୍ରତି ଏକାଦଶୀ ଦିନ ମହାଦୀପ ଉଠୁଥିବା ବେଳେ ମହା ଶିବରାତ୍ରରେ ଏକାମ୍ର କ୍ଷେତ୍ରରେ ମହାଦୀପ ଉଠିବାର ପରମ୍ପରା ରହିଛି । ପୌରାଣିକ ମତ ଅଛି ଏହିଦିନ ହରି ଏବଂ ହରଙ୍କ ଭେଟ ମଧ୍ୟ ହୋଇଥାଏ ।