ଆଜି ପ୍ରବିତ୍ର ଚୈତ୍ର ପୂର୍ଣ୍ଣିମା । ଭାରତର ସଂସ୍କୃତି ଓ ପରମ୍ପରାରେ ଏହି ଦିନଟିକୁ ପବିତ୍ର ବୋଲି ବିବେଚନା କରାଯାଇଥାଏ । ଓଡ଼ିଶାରେ ବିଭିନ୍ନ ପର୍ବ ପରି କୈବର୍ତ ସମାଜରେ ଏହି ପର୍ବ ଏକ ଗଣପର୍ବରେ ପରିଣତ ହୋଇଯାଇଛି। ଚୈତ୍ର ପୂର୍ଣ୍ଣିମା ଦିନ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ଓଡ଼ିଶାରେ ସାଧାରଣତଃ ଏହି ଚୈତ୍ର ପୂର୍ଣ୍ଣିମାକୁ ଚଇତିପୁନେଇଁ ଓ ଚଇତ ପୁନେଇଁ କହିଥାନ୍ତି ।
ଏହି ପର୍ବ କୈବର୍ତ ସଂପ୍ରଦାୟର ଏକ ପ୍ରମୁଖ ପର୍ବ । ଚୈତ୍ର ପୂର୍ଣ୍ଣିମାକୁ ସେମାନେ ମହାଆଡମ୍ବର ସହ ପାଳନ କରିଥାନ୍ତି । କେଉଟମାନେ ଘୋଡ଼ାର ଏକ ମୁଖା ଖୋଳ କରି ସେଥିରେ ପଶି ଘୋଡ଼ା ଚଢ଼ିବାର ଅଭିନୟ କରି ନୃତ୍ୟ କରିଥାନ୍ତି । ଏହା ଚଇତି ଘୋଡା ନାମରେ ବେଶ ଜଣାଶୁଣା । ଏପରିକି ଚଇତି ଘୋଡ଼ା ନାଚ ଗୀତରେ ଓଡ଼ିଶାର ପୂଜା ପରମ୍ପରା ପରିପୁଷ୍ଟ । ଏହି ଗୀତ ବେଶ୍ ମନଲୋଭା ।
ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିମାରିଥାଏ ଯେ ଏହି ଚଇତି ଘୋଡା ନାଚ କାହିଁକି ହୋଇଥାଏ । ତେବେ ଚୈତ୍ର ପୂର୍ଣ୍ଣିମାରେ ଚଇତି ଘୋଡା ନାଚର ବିଶେଷତ୍ୱ ରହିଛି । ପୌରାଣିକ କାହାଣୀ ଅନୁସାରେ ସତ୍ୟଯୁଗରେ ପୃଥିବୀ ଜଳାର୍ଣ୍ଣବ ହୋଇଥିବା ବେଳେ କେବଳ କଳ୍ପବଟଟି ମୁଣ୍ଡ ଟେକି ଠିଆ ହୋଇ ରହିଥିଲା । ସେହି କଳ୍ପବଟରେ ଅନନ୍ତ ଶୟନରେ ଥିଲେ ସୃଷ୍ଟିର ପାଳନକର୍ତା ବିଷ୍ଣୁ । ସେହି ଠାରେ ପ୍ରଭୁ ବିଷ୍ଣୁ ନିଜ କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ। ପାଣି ଭିତରେ ଥିବା ରାଘବ ମତ୍ସ୍ୟ ସେହି ପୁରୁଷକୁ ଗିଳିଦେଇଥିଲେ । ଚୈତ୍ର ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାପରେ ସେ ରାଘବ ମତ୍ସ୍ୟକୁ ହତ୍ୟାକରି ପୁରୁଷଟି ଉଦ୍ଧାର କରିଥିଲେ । ସେହି ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା। ପୃଥିବୀ ପୂର୍ବ ଅବସ୍ଥାକୁ ଫେରିଲା।
ଏହି କଥାବସ୍ତୁକୁ ଆଧାର କରି ଚଇତ୍ର ପର୍ବ ସହ ବିଷ୍ଣୁ ଆରାଧନା ପାଳିତ ହୋଇ ଆସୁଛି । ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତା’ର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କୁ ଆରାଧନା କରି ସୁଖରେ ବଞ୍ଚିବାକୁ କହିଲେ। ସେବେଠାରୁ କୈବର୍ତ୍ତ ମାଛ ମାରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ା ନାଚ କଲା। ଏହିଦିନ କୈବର୍ତ୍ତମାନେ ନୂଆବସ୍ତ୍ର ପିନ୍ଧିବା ସହ ଡଙ୍ଗା ଓ ଜାଲ ପୂଜା କରିଥାନ୍ତି।
ଏହି ଚଇତି ଘୋଡା ନୃତ୍ୟର ପାରମ୍ପରିକ ଗୀତ ମଧ୍ୟ ରହିଛି । ସେହି ଗୀତାର ତାଳେ ତାଳେ ଚଇତି ଘୋଡା ନୃତ୍ୟ କରାଯାଇଥାଏ । ପୂର୍ଣ୍ଣମୀଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ହିଁ ପର୍ବ ପାଳନ କରାଯାଇଥାଏ । ଏହି ପର୍ବକୁ ଉଭୟ ଆଦିବାସୀ ଓ ଅଣଆଦିବାସୀମାନେ ପାଳିଥାନ୍ତି।