ଭୁବନେଶ୍ୱର: ପୌଷମାସ ଅମାବାସ୍ୟା ତିଥିରେ ଓଡ଼ିଶାର ଘରେ ଘରେ ପାଳିତ ହୁଏ ବଉଳ ଅମାବାସ୍ୟା। ଓଡ଼ିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ପର୍ବକୁ ପାରମ୍ପରିକ ରୀତିରେ ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳନ କରାଯାଇଥାଏ। ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ। ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ବହୁତ ଫଳ ହୁଏ ବୋଲି ଲୋକମାନଙ୍କ ମନରେ ବିଶ୍ୱାସ ରହିଛି।
ବଉଳ ଅମାବାସ୍ୟା ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ଏହିଦିନ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସକାଳ ଧୂପ ନୀତି ସହିତ ଗଇଁଠା ପିଠା ସହ ବଉଳ ଲାଗି ହୋଇଥାଏ। ଏହି ଦିନ ଓଡ଼ିଆ ଘର ମାନଙ୍କରେ ଗଇଁଠା ପିଠା ତିଆରି କରାଯାଏ। ଏହି ଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ ଭଳି ଗଛର ମୂଳରୁ ଅନାବନା ଗଛ ଆଦିକୁ ସଫା କରାଯାଇଥାଏ। ଏହି ଗଛ ମୂଳକୁ ଗୋବରପାଣିରେ ଧୋଇ ଏହାକୁ ପବିତ୍ର କରାଯାଇଥାଏ। ସୂର୍ଯ୍ୟାସ୍ତ ସମୟରେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଚନ୍ଦନ, ଧୂପଦୀପ ଓ ଗଇଁଠା ପିଠା ଆଦି ଅର୍ପଣ କରି ପୂଜା କରାଯାଇଥାଏ। ।