ଭୁବନେଶ୍ୱର: ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ । ଏହା ବାଦ ଶିକ୍ଷା ଗୁରୁ ଏବଂ ଦିକ୍ଷା ଗୁରୁ । ଜୀବନ ଯାତ୍ରାରେ ଯିଏ ମାର୍ଗ ଦର୍ଶନ କରିଥାଆନ୍ତି ତାଙ୍କୁ ହିଁ ଆମେ ଗୁରୁରୂପେ ଗ୍ରହଣ କରିଥାଉ । ସେହି ଗୁରୁଙ୍କୁ ସମର୍ପିତ ଏହି ପବିତ୍ର ଦିନ । ମହାଭାରତର ବେଦବ୍ୟାସଙ୍କ ଜନ୍ମ ଦିନକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପରେ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆଷାଢ଼ ପୂର୍ଣ୍ଣିମା ଦିନ ବେଦବ୍ୟାସ ସତ୍ୟବତୀଙ୍କ ଗର୍ବରୁ ମହର୍ଷି ବେଦବ୍ୟାସ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ମହର୍ଷି ବେଦବ୍ୟାସ ବେଦ ଶିକ୍ଷା ପ୍ରଦାନ କରିଥିଲେ । ତେଣୁ ତାଙ୍କୁ ହିନ୍ଦୁ ଧର୍ମରେ ପ୍ରଥମ ଗୁରୁର ମାନ୍ୟତା ଦିଆଯାଇଛି । ଏହି କାରଣରୁ ଗୁରୁ ପୂର୍ଣ୍ଣିମାଙ୍କୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ସେ ବ୍ରହ୍ମସୂତ୍ର, ମହାଭାରତ, ଶ୍ରୀମଦ୍ ଭାଗବତ ଏବଂ ଅଷ୍ଟପୁରାଣ ଗ୍ରନ୍ଥ ମଧ୍ୟ ରଚନା କରିଛନ୍ତି ।
ଏହାକୁ ସର୍ବଧର୍ମ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ହିନ୍ଦୁମାନେ ନୁହେଁ ବୌଦ୍ଧ, ଜୈନ ଏବଂ ଶିଖ ଧର୍ମରେ ମଧ୍ୟ ଗୁରୁ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି । ସେହିପରି ଭାରତ ସହିତ ନେପାଳ ଏବଂ ଭୁଟାନରେ ମଧ୍ୟ ଏହି ପବିତ୍ର ଦିନକୁ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧ ଏହି ଅବସରରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ। ଭଗବାନ ବୁଦ୍ଧ ବୋଧଗୟାରୁ ସାରନାଥ ଯାତ୍ରା କରି ପୂର୍ଣ୍ଣିମା ଦିନ ନିଜର ଉପଦେଶ ଦେଇଥିଲେ। ତେଣୁ ବୁଦ୍ଧଙ୍କ ଅନୁଗାମୀମାନେ ଏହି ଦିନ ତାଙ୍କୁ ପୂଜା କରିଥାନ୍ତି।
ଗୁରୁ ପୂର୍ଣ୍ଣିମାକୁ ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ପାଳନ କରନ୍ତି । ବୋଧି ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ପରେ ଏହି ଦିନ ବୁଦ୍ଧ ଦେବ ଉତ୍ତର ପ୍ରଦେଶର ସାରନାଥରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ । ଏଥିପାଇଁ ସେ ବୋଧଗୟାରୁ ସାରନାଥ ଯାତ୍ରା କରିଥିଲେ । ତେଣୁ ବୁଦ୍ଧଙ୍କ ଅନୁଗାମୀଙ୍କ ପାଇଁ ଏହି ଦିନ ବେଶ ମହତ୍ୱପୂର୍ଣ୍ଣ ଅଟେ ।