ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଉପସ୍ଥିତିରେ ଘାସିରାମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ନୂଆପଡ଼ାରେ ଏଥର ଘାସିରାମଙ୍କୁ ପ୍ରାର୍ଥୀ କରି ଉପ-ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷୁଛି କଂଗ୍ରେସ। ଆଉ ଏହାରି ଭିତରେ ଘାସିରାମ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ। ସେ କଂଗ୍ରେସ ଟିକେଟ୍ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। ଗତ ନିର୍ବାଚନ ସମୟରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିଲେ, ତାହା କେବଳ ଆଦିବାସୀ ସଂଘ ଯୋଗୁ ମିଳିଥିଲା।
ସେ ଗତ ନିର୍ବାଚନ ସମୟରେ କହିଥିଲେ ଯେ ଏହା ତାଙ୍କର ଶେଷ ନିର୍ବାଚନ। ହାରିଲେ ବି ସଂଘ ସହ ରହିବେ। କିନ୍ତୁ ହାରିବା ପରେ ସେ ପୁଣି କଂଗ୍ରେସମୁହାଁ ହୋଇଥିଲେ, ଯାହାକୁ ଆଦିବାସୀ କଲ୍ୟାଣ ସଂଘ ପସନ୍ଦ କରୁନାହିଁ। ଏପରିକି ତାଙ୍କୁ ସଂଘ ଆଦିବାସୀ ସମାଜ ବିରୋଧୀ କାର୍ଯ୍ୟ ଲାଗି ଏକ ବର୍ଷ ଲାଗି ବହିଷ୍କାର କରିଥିବା ଜଣାଯାଇଛି।