ବାଲେଶ୍ବର: ହୁତୁହୁତୁ ହୋଇ ଜଳିଗଲା ୪ ମହଲା ଷ୍ଟେସନାରୀ ଦୋକାନ । ବାଲେଶ୍ବର ଜିଲ୍ଲା ଟାଉନ୍ ଥାନା ସିନେମା ଛକରେ ଥିବା ସବୁଠୁ ବଡ଼ ଷ୍ଟେସନାରୀ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ୪ରୁ ୫ କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ।
ସୂଚନା ଅନୁସାରେ, ବୁଧବାର ସିନେମା ଛକରେ ଥିବା ଏକ ୪ ମହଲା ଷ୍ଟେସନାରୀ ଦୋକାନରେ କୌଣସି କାରଣରୁ ନିଆଁ ଲଗାଯାଇଥିଲା । ନିଆଁ ସମ୍ପୂର୍ଣ୍ଣ କୋଠକୁ ବ୍ୟାପି ଯାଇଥିଲା । ନିଆଁର ଧୂଆଁରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଏନେଇ ବାଲେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।
ଖବର ପାଇ, ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ବହୁ ସମୟ ପରେ ନିଆଁକୁ ଆୟତ୍ତ କରିବା ସହିତ ଦୋକାନ ଭିତରେ ଥିବା କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । କେଉଁ କାରଣକୁ ନେଇ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁରେ ୪ରୁ ୫ କୋଟି ଟଙ୍କାର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।