ଭୁବନେଶ୍ୱର: କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ୱିତୀୟ ଆଞ୍ଚଳିକ ଉଦ୍ଭିଦ କେନ୍ଦ୍ର । ଯାହାକି ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ଅଟେ । ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ କେନ୍ଦୁଝର ପ୍ରସ୍ତାବିତ ପ୍ରକଳ୍ପ ଉପରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି ।
ଉଦ୍ଭିଦ ସମ୍ପଦ କେନ୍ଦ୍ର ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର, ଇକୋ-ଟୁରିଜିମ ଏବଂ ଗବେଷଣା ଓ ଶିକ୍ଷା ର ବିକାଶ ପାଇଁ ନିର୍ମାଣ କରାଯିବ। ଏହି ସ୍ଥାନଟି ପ୍ରାକୃତିକ ଅଭିଜ୍ଞତା ଏବଂ ଥିମାଟିକ ଗାର୍ଡେନର ଅନୁଭୂତି ପ୍ରଦାନ କରିବ । ଏହି କେନ୍ଦ୍ରରେ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ଼ ଉପଲବ୍ଧ ହେବା ସହିତ ଗୋଲାପ, ବାଉଁଶ, କାକଟସ, ଜଙ୍ଗଲୀ ଫଳ ଇତ୍ୟାଦି ମଧ୍ୟ ସ୍ଥାନିତ ହୋଇ ଅଞ୍ଚଳର ଶୋଭା ମଣ୍ଡନ କରିବ ।
ଏହି ଅଂଚଳକୁ ବିଶେଷ ପର୍ଯ୍ୟଟନ ସ୍ଥଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏହା ବର୍ଷ ତମାମ ପର୍ଯ୍ୟଟକ ଓ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ହାତୀ ଉପଦ୍ରବରୁ ରକ୍ଷା କରିବାକୁ ଉଚିତ ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଡିପ୍ ଚ୍ରେଞ୍ଚେସ୍ ଦ୍ୱାରା ମଣିଷ-ହାତୀଙ୍କର ସଂଘର୍ଷକୁ ରୋକିବା ସହିତ ମାଛକାନ୍ଦଣା ନଦୀର ଜଳ ଯେପରି ସବୁବେଳେ ଭରପୁର ରୁହେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ଏହି କେନ୍ଦ୍ରରେ ଅର୍କିଡ୍ ସଂରକ୍ଷଣ ଏବଂ ପ୍ରଦର୍ଶନ କେନ୍ଦ୍ର, ପଦ୍ମ ଉଦ୍ୟାନ, ଜଙ୍ଗଲୀ ଖାଦ୍ୟଯୋଗ୍ୟ ଫଳ ଉଦ୍ୟାନ, ଫର୍ଣ୍ଣ ଉଦ୍ୟାନ, ଔଷଧୀୟ ଉଦ୍ଭିଦ ଉଦ୍ୟାନ, ଫୁଲ ବଜାର, ଛୋଟ ପିଲାଙ୍କ ଖେଳ ସ୍ଥା ନନିର୍ମାଣ ହେବା ସହିତ ସମସ୍ତ ଆସବାବପତ୍ର ପାଇଁ ସ୍ଥାନୀୟ ପଥର ଏବଂ କାଠର ବ୍ୟବହାର କରାଯିବ । ଏହାର ନିର୍ମାଣ କାର୍ଯ୍ୟ ୨୦୨୭ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ ସୁରେଶ ପନ୍ତ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଆଭାସୀ ମାଧ୍ୟମରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ ଓ କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଧାମଡେରେ ପ୍ରମୁଖ ଉପସ୍ଥିତ ଥିଲେ ।