ନୂଆପଡ଼ା: ଉପନିର୍ବାଚନ ପୂର୍ବରୁ ନୂଆପଡ଼ା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ବିଜୁ ଜନତା ଦଳକୁ ଗୋଟିଏ ପଟେ ପ୍ରାର୍ଥୀ ଚିନ୍ତା ଘାରିଥିବାବେଳେ ଅନ୍ୟପଟେ କର୍ମୀ ମଧ୍ୟ ଦୂରେଇବାକୁ ବସିଲେଣି । ଆଜି ମଧ୍ୟ ବିଜେଡ଼ିକୁ ଏକ ଶକ୍ତ ଝଟକା ଲାଗିଛି । ଜିଲ୍ଲା ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ଦଳରୁ ଇସ୍ତଫା ଦେଇଛନ୍ତି ।
ଚନ୍ଦ୍ରକାନ୍ତ ଠାକୁର ଉପସଭାପତି ପଦ ଛାଡ଼ିଛନ୍ତି । ଏହା ସହିତ ଦଳ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋକୁ ପଠାଇଦେଇଛନ୍ତି । ନକଟରେ ବିଜେପିରେ ଯୋଗ ଦେଇଥିବା ଜୟ ଢୋଲକିଆଙ୍କୁ ସମର୍ଥନ ଜଣାଇ ବିଜେଡ଼ିକୁ ଛାଡ଼ିଥିବା ସୂଚନା ମିଳିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡ଼ି ଜୟଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । କିନ୍ତୁ ଜୟ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଏହା ପରେ ଅନେକ କର୍ମୀ ଜୟଙ୍କ ସମର୍ଥନ ବାହାରି ଦଳ ଛାଡ଼ୁଥିବା ଦେଖିବାକୁ ମିଳିଛି । ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରି ଜୟଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ ହେବେ । ଏହି ସମୟରେ ମିଶ୍ରଣ ପର୍ବରେ ପ୍ରାୟ ୨୦୦୦ ବିଜେଡ଼ି ଓ କଂଗ୍ରେସ କର୍ମୀ ମଧ୍ୟ ବିଜେପିକୁ ଆସିବାର କାର୍ଯ୍ୟକ୍ରମ ରହିଛି ।