ଭୁବନେଶ୍ୱର: ଆସନ୍ତା ମାସରୁ ରାସନ କାର୍ଡର e-KYC କରିନଥିଲେ ଚାଉଳ ବନ୍ଦ ହୋଇଯିବ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, " ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର e-KYC କରିନାହାନ୍ତି । e-KYC କରିନଥିବା ଲୋକ ଚାଉଳ ପାଉଛନ୍ତି, ତାକୁ ବନ୍ଦ କରି ଦିଆଯିବ । ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ । ବାଦ୍ ପଡ଼ିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ ।
ରାସନ କାର୍ଡର ସୁବିଧା ପାଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧାରୁ ବାଦ୍ ଦେବା ପାଇଁ ସରକାରଙ୍କ ପକ୍ଷରୁ E-KYC ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଯାହା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ । ଏହି ପ୍ରକ୍ରିୟା ମାଧ୍ୟମରେ ୨୦ ଲକ୍ଷ ହିତାଧିକାରୀ ବାଦ୍ ପଡିପାରନ୍ତି ବୋଲି ପୂର୍ବରୁ ସୂଚନା ମିଳିଥିଲା । E-KYC କରିନଥିଲେ ରାସନ କାର୍ଡରୁ ଉପଭୋକ୍ତାଙ୍କ ନାଁ କଟିଯିବ । ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ । ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟିଦିଆଯିବ ବୋଲି ସୂଚନା ମିଳିଥିଲା ।