ନୂଆପଡ଼ା: ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପରେ ବିଜେଡ଼ିର ସବୁ ଅଙ୍କ ଭୁଲ ହୋଇଯାଇଛି । ପ୍ରାର୍ଥୀ ଚୟନକୁ ନେଇ ଦଳ ଏବେ ଦ୍ୱନ୍ଦରେ ପଡ଼ିଛି । ନୂଆପଡ଼ାରେ ବିଜେଡ଼ି ଦୁଇ ଫାଳ ହୋଇଥିବା ଏଥିରେ ଆଉ ଦ୍ୱିମତ ନାହିଁ । ଏବେ ରାଜଧାନୀ ଭୁବନେଶ୍ୱରରେ ହିଁ ସମାଧାନର ବାଟ ଫିଟିବ ବୋଲି ଆଲୋଚନା ହେଉଛି ।
ଜୟ ଢୋଲକିଆ ଦଳ ଛାଡ଼ିବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ କମିଟି ନୂଆପଡ଼ା ଗସ୍ତ କରିଥିଲେ । ଗତକାଲିଠାରୁ ଦଳରେ ଦୁଇ ଗୋଷ୍ଠୀଙ୍କ ସମର୍ଥିତ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କୁ ନେଇ ବିଶୃଙ୍ଖଳା ଉତ୍ପନ୍ନ ହୋଇଛି । ଗୋଟିଏ ପରେ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନାଁ ଉଠୁଥିବାବେଳେ ଅନ୍ୟ ପଟେ ଜିଲ୍ଲା ଆଦିବାସୀ କଲ୍ୟାଣ କମିଟି ସଭାପତି ଭାନୁପ୍ରତାପ ସିଂ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ଦାବି ଜୋର୍ ଧରିଛି । କମିଟି ଭାନୁପ୍ରତାପଙ୍କ ନାଁରେ ମୋହର ମାରିବାକୁ ପ୍ରସ୍ତୁତି କରୁଥିବା ଆଲୋଚନା ହେଉଥିଲା । କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଯେଉଁଥିରେ ପଶ୍ଚିମ ଓଡ଼ିଶାର କିଛି ସଦସ୍ୟ ରହିଛନ୍ତି ସେମାନେ ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିବାକୁ ଜୋର୍ ଦେଇଛନ୍ତି । ଯାହାକୁ ନେଇ ଅଡ଼ୁଆରେ ଦଳ ପଡ଼ିଛି ।
ସେପଟେ ମନୋଜ ମିଶ୍ର ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସେ ଆରମ୍ଭରୁ ହିଁ ବିଜେଡ଼ି ସହିତ ଅଛନ୍ତି । ଦୀର୍ଘ ବର୍ଷ ଧରି ତୃଣମୂଳ ସ୍ତଳରେ ଦଳ ପାଇଁ କାମ କରିଛନ୍ତି । ତେଣୁ ସେ ଟିକେଟ୍ ପାଇଁ ଆଶାୟୀ ଥିବା କହିଛନ୍ତି ।