କେନ୍ଦ୍ରାପଡ଼ା : ଦୀର୍ଘ ସାତଦିନ ଧରି ମଣ୍ଡପରେ ପୂଜାର୍ଚ୍ଚନା ପରେ ବିଦାୟ ନେଉଛନ୍ତି ମାଆ । ପୁଣି ଅପେକ୍ଷା ଆର ବର୍ଷକୁ ମା ପୁଣି ଆସିବେ। ମା’ ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ ପାଇଁ ସମଗ୍ର ସହରରେ ଉତ୍ସାହ। ଏଥିପାଇଁ କେନ୍ଦ୍ରାପଡା ସହର ଉତ୍ସବମୁଖର ହୋଇପଡ଼ିଛି । ଭସାଣି ଉତ୍ସବରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରାସ୍ତା ଉପରେ କଳାକାରଙ୍କ ନାଚ ଗୀତରେ ସହର କମ୍ପୁଛି। ସହରର ସମସ୍ତ ମେଢ ଗୋଟିଏ ପରେ ଗୋଟିଏ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ବିଭିନ୍ନ ବିସର୍ଜନ ଘାଟରେ ବିସର୍ଜନ ହେବେ । ଚଳିତବର୍ଷ କେନ୍ଦ୍ରାପଡ଼ାରେ ୬୮ଟି ସ୍ଥାନରେ ମେଢ ହୋଇଥିଲା। ସେଥି ମଧ୍ୟରୁ ୪୮ ଟି ମେଢ ମେଲଣ ରେ ଅଂଶଗ୍ରହଣ କରିବାକୁ ଥିବା ବେଳେ ଅଧିକ ମେଢ ମେଲଣ ପଡିଆରେ ପହଞ୍ଚି ପାରିନାହାନ୍ତି। ସମସ୍ତ ମେଢ ମେଲଣପଡିଆରେ ପହଞ୍ଚିବା ପରେ ପୁରୁଣା ବସଷ୍ଟାଣ୍ଡର ମା ଥାନପତି କମିଟି ଭୋଗ ଲଗାଇବେ। ପରେ ମେଲଣ ପଡିଆରୁ ମେଢ ଗୁଡିକ ନିର୍ଦ୍ଧାରିତ ସମୟ ରାତି ବାରଟା ସମୟ ଭିତରେ ବିସର୍ଜନ ଘାଟରେ ପହଞ୍ଚି ବିସର୍ଜନ ହେବାର ନିୟମ କରିଛି ଜିଲ୍ଲା ପ୍ରଶାସନ l
ସୂଚନା ଅନୁଯାୟୀ ଭସାଣି ଶୋଭାଯାତ୍ରାରେ ସମସ୍ତ କମିଟି ଦାୟିତ୍ୱବାନ କର୍ମକର୍ତ୍ତାଙ୍କ ଦ୍ବାରା ଭସାଣି ମେଢ଼ ଗୁଡିକ ସଠିକ ସମୟରେ ଆଗକୁ ବଢିବା ସହିତ ଶୃଙ୍ଖଳିତ ଭାବେ ପ୍ରଶାସନର ସହଯୋଗରେ ଶୋଭାଯାତ୍ରା ସମ୍ପାଦିତ କରୁଛନ୍ତି । ଭସାଣିକୁ ଶୃଙ୍ଖଳିତ ଭାବେ ସମାପନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି I