ନୂଆଦିଲ୍ଲୀ: ହରିୟାଣାରେ ଆଉ ଜଣେ ପୋଲିସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ସେ ହେଉଛନ୍ତି ରୋହତକ ସାଇବର ସେଲ୍ ରେ କାର୍ଯ୍ୟରତ ଜୀନ୍ଦ ଅନ୍ତର୍ଗତ ଜୁଲାନା ଗ୍ରାମର ଏଏସ୍ଆଇ ସନ୍ଦୀପ କୁମାର । ଏଏସ୍ଆଇ ସ୍ୱର୍ଗତ ଆଇପିଏସ୍ ଅଧିକାରୀ ପୂରନ କୁମାରଙ୍କ ଉପରେ ପାଲଟା ଅଭିଯୋଗ ଆଣି ଏକ ଚିଠି ଛାଡ଼ିଯାଇଛନ୍ତି ।
ଏଏସ୍ଆଇ ସନ୍ଦୀପ କୁମାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରୁ ଏକ ତିନି ପୃଷ୍ଠାର ଚିଠି ଜବତ କରିଛି ଏବଂ ଭିଡ଼ିଓ ମେସେଜ୍ ମଧ୍ୟ ହସ୍ତଗତ ହୋଇଛି । ଯେଉଁଥିରେ ଆଇପିଏସ୍ ପୂରନ କୁମାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାଞ୍ଚରୁ ଜଣାପଡ଼ିଛି ଏଏସ୍ଆଇ ସନ୍ଦୀପ ଏକ ତଦନ୍ତ କମିଟିର ସଦସ୍ୟ ଥିଲେ । ଆଇପିଏସ୍ ପୂରନ କୁମାରଙ୍କ ଗନମ୍ୟାନ ସୁଶୀଲ କୁମାରଙ୍କ ଘଟଣା ସହିତ ଜଡ଼ିତ ଅଟେ । ପୋଲିସ ଶବକୁ ଜବତ କରିବା ସହିତ ଭିଡ଼ିଓ ଫରେନ୍ସିକ୍ ଲ୍ୟାବକୁ ପଠାଇଦେଇଛି ।
ଦୁର୍ନୀତିରେ ଲିପ୍ତ ଥିଲେ ଆଇପିଏସ୍ ପୂରନ୍ କୁମାର
ଏଏସ୍ଆଇ ତାଙ୍କ ସୁଇସାଇଡ୍ ନୋଟରେ ଲେଖିଛନ୍ତି ଯେ ସେ ସବୁବେଳେ ସତ୍ୟର ସାଥ୍ ଦେଇଛି ଏବଂ ସଚ୍ଚୋଟ ଲୋକ ବହୁତ ପସନ୍ଦ । ତାଙ୍କ ପରିବାର ଦେଶ ସେବା ପାଇଁ ସେନାରେ ଥିଲେ । ସହିଦ ଭଗତ ସିଂକୁ ନିଜର ଆଦର୍ଶ ମାନନ୍ତି । ଏହା ସହିତ ସେ ଆହୁରି କହିଛନ୍ତି, ରାଜ୍ୟରେ ଅନେକ ଆଇଏଏସ୍ ଅଧିକାରୀ ଦୁର୍ନୀତି ଗ୍ରସ୍ତ ଅଟନ୍ତି । ବିଜେପି ସରକାର ଆସିବା ପରେ ଦୁର୍ନୀତି କମିଛି । କିଛି ସଚ୍ଚୋଟ ଅଧିକାରୀ ଦୁର୍ନୀତି ଉପରେ ଲଗାମ ଦେଇଛନ୍ତି । ସେ ହରିୟାଣା ଡିଜିପିକୁ ସଚ୍ଚୋଟ ବୋଲି କହିଛନ୍ତି । କିନ୍ତୁ ଯେତେବେଳେ ଆଇଜି ପୂରନ କୁମାର ରୋହତକକୁ ବଦଳି ହୋଇ ଆସିଥିଲେ, ସେତେବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେଇ ସଚ୍ଚୋଟ ଏବଂ ଭଲ ଅଧିକାରୀଙ୍କର ସେଠାରୁ ବଦଳି କରାଇ ଦେଲେ । ଏସ୍ଆଇଏସ୍ ସୁନୀଲ ଏବଂ ଗନମ୍ୟାନ ସୁଶୀଲ ଟଙ୍କା ଆଦାୟ କରୁଥିଲେ ଏବଂ ମହିଳା ପୋଲିସ ଅଧିକାରୀଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ସନ୍ଦୀପ କୁମାର ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଖାଲି ସେତିକି ନୁହେଁ ସାମାନ୍ୟ ନାଗରିକ ଏବଂ ବେପାରୀଙ୍କୁ ଡାକି ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଆଇପିଏସ୍ ପୂରନ କୁମାର ନିଜ ସ୍ତ୍ରୀ ଆଇଏଏସ୍ ଏବଂ ଶଳା ବିଧାୟକ ଓ ପୂରା ପରିବାର ଅନୁସୂଚିତ ଜାତି ଆୟୋଗରେ ନିଯୁକ୍ତି ଅଛନ୍ତି କହି ଧମକ ଦେଉଥିଲେ । ଯେତେବେଳେ ଉପରକୁ କଥା ଗଲା ସେ ସେତେବେଳେ ତାଙ୍କର ବଦଳି କରାଗଲା । ଏହା ପରେ ଉକ୍ତ ବେପାରୀକୁ ନିଜ ଅଫିସକୁ ଡାକି ଆହୁରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଉକ୍ତ ବେପାରୀ ସିସିଟିଭି ଫୁଟେଜ୍ ଏବଂ ରଖିଥିବା ଭଏସ୍ ରେକର୍ଡର ପ୍ରମାଣ ଆଧାରରେ ମାମଲା ରୁଜୁ କଲେ । ଯେତେବେଳେ ଆଇଜି ପୂରନ କୁମାରଙ୍କ ନାଁ ସେଥିରେ ଆସିଲେ ଜାତିଗତର ଆସରା ନେଇ ପାଲଟା ମାମଲା ରୁଜୁ କଲେ । କେବଳ ନିଜକୁ ଗିରଫଦାରୀ ବଞ୍ଚାଇବାକୁ ପୂରନ କୁମାର ମିଛ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଥିବା ଏଏସ୍ଆଇ ସନ୍ଦୀପ କୁମାର ନିଜ ଚିଠିରେ ଲେଖିଛନ୍ତି ।
ନାଟକ କରୁଛନ୍ତି ପୂରନ କୁମାରଙ୍କ ଆଇଏଏସ୍ ପତ୍ନୀ
ପୂରନ କୁମାରଙ୍କ ଆଇଏଏସ୍ ପତ୍ନୀ ନାଟକ କରୁଛନ୍ତି । ସତ ପଦାକୁ ନ ଆସୁ ଏବଂ ସମ୍ପତ୍ତିର ଯାଞ୍ଚ ନ ହେଉ ସେଥିପାଇଁ ଏଭଳି ନାଟକ କରୁଛନ୍ତି । କିନ୍ତୁ ସତ କେବେ ଲୁଚି ରହିବ ନାହିଁ ବୋଲି କହିଛନ୍ତି ସନ୍ଦୀପ କୁମାର । ଆମ ରକ୍ତରେ ଦେଶ ଭକ୍ତିର ରକ୍ତ ବୋହୁଛି । ଏଭଳି ଭ୍ରଷ୍ଟାଚାର ପର୍ଦ୍ଦାଫାସ କରିବାକୁ ମୋ ଭଳି ୧୦୦ ଜଣ ଜୀବନ ଦେବାକୁ ପ୍ରସ୍ତୁତ, କିନ୍ତୁ ଦେଶ ନଇଁବ ନାହିଁ । ସତ୍ୟର ଏହି ଲଢ଼େଇ ମୋର ପ୍ରଥମ ଆହୁତି ବୋଲି କହିଛନ୍ତି ସନ୍ଦୀପ କୁମାର ।
ହରିୟାଣାର ପୂର୍ବତନ ଆଇପିଏସ୍ ଅଧିକାରୀ ପୂରନ କୁମାର ଅକ୍ଟୋବର ୭ ତାରିଖରେ ନିଜ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ସେ ଡିଜିପିଙ୍କ ଉପରେ ଅଭିଯୋଗ ଆଣି ସୁଇସାଇଡ୍ ନୋଟ୍ ଲେଖିଥିଲେ । ତାଙ୍କୁ ହଇରାଣ କରାଯାଉଥିଲା ବୋଲି ସେ ଲେଖିଲେ । ତାଙ୍କ ଆଇଏଏସ୍ ପତ୍ନୀ ସ୍ୱାମୀଙ୍କର ଶବବ୍ୟବଚ୍ଛେଦ ପାଇଁ ଅନୁମତି ପ୍ରଦାନ କରୁନାହାଁନ୍ତି । ଯେପର୍ଯ୍ୟନ୍ତ ଡିଜିପିଙ୍କୁ ଗିରଫ ନ କରାଯାଇଛି ସେ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହେବ ନାହିଁ ବୋଲି ଦାବି କରିଛନ୍ତି ।