ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ପାଟନାରେ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତାମାନେ ଆନୁଷ୍ଠାନିକ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍ ଦେଇଛି ବିଜେପି। ସେହିପରି ରାମ କୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ପ୍ରାର୍ଥୀ କରିଛି।
ଦୀର୍ଘ ଦିନ ହେଲା ବିହାରରେ ଏନଡିଏ ମେଣ୍ଟ ଭିତରେ ସିଟ୍ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡିପାରୁନଥିଲା। ହେଲେ ଶେଷରେ ଏନଡିଏର ସହଯୋଗୀ ଦଳମାନଙ୍କ ଭିତରେ ସିଟ୍ ବୁଝାମଣା ହୋଇଥିଲା। ନିଷ୍ପତ୍ତି ମୁତାବକ ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ବୋଲି ଧାର୍ଯ୍ୟ ହୋଇଥିଲା। ଏହାସହ ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ। ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ।
୭୧ ଜଣଙ୍କ ମଧ୍ୟରୁ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ବିହାର ବିଧାନସଭାର ବାଚସ୍ପତି ନନ୍ଦ କିଶୋର ଯାଦବଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ, ତାଙ୍କ ସ୍ଥାନରେ ନୂତନ ପ୍ରାର୍ଥୀ ରତ୍ନେଶ କୁଶୱାହାଙ୍କୁ ସ୍ଥାନ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ଯିଏ ବିହାର ବିଧାନସଭା ପରିଷଦର ସଦସ୍ୟ ଅଛନ୍ତି, ସେ ମଧ୍ୟ ସିୱାନ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।
ଅଧିକ ପଢନ୍ତୁ: ବିହାର ନିର୍ବାଚନ: ଆସନ ଭାଗବଣ୍ଟା ନେଇ ଆପୋଷ ସମାଧାନ ପାଇଁ ମନସ୍ଥ ଆରଜେଡି ଏବଂ କଂଗ୍ରେସ!