ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୁଲିସ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି। ୫ ଅଭିଯୁକ୍ତଙ୍କୁ କ୍ରାଇମ୍ ସ୍ପଟକୁ ନେଇ ଖୋଳତାଡ଼ କରୁଛି ପୋଲିସ। ଅଭିଯୁକ୍ତଙ୍କୁ ମୁହାଁମୁହିଁ କରି ଜେରା ଚାଲିଛି। ଘଟଣା ଦିନ କଣ ହୋଇଥିଲା, କିଏ କିଏ ଥିଲେ, କେମିତି କଣ କରିଥିଲେ ଅଭିଯୁକ୍ତମାନେ, ତାହା ଗୋଟି ଗୋଟି କରି ସେମାନେ ଦେଖାଇଛନ୍ତି। ଏହା ଆଗରୁ ୨ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିଥିଲା ପୋଲିସ। ସେପଟେ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ବି ଘଟଣାସ୍ଥଳରେ ଖୋଳତାଡ଼ ହୋଇଛି। ଏହି ସମୟରେ ଦୁର୍ଗାପୁର ଡିସିପି ଓ ତଦନ୍ତକାରୀ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।
ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଦୁର୍ଗାପୁର ପୁଲିସ । ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା କହିଛନ୍ତି ଦୁର୍ଗାପୁର ପୁଲିସ କମିଶନର । ଡିସିପି ପୀଡିତାଙ୍କ ବାପାଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତାଙ୍କ ପରିବାର ସହ ପୁଲିସ ରହିଛି, ସମସ୍ତ ସହଯୋଗ ଦିଆଯିବ ବୋଲି କମିଶନର କହିଛନ୍ତି ।
ଗତ ଶୁକ୍ରବାର ଘଟିଥିଲା ଏ ଲୋମହର୍ଷକ ଘଟଣା। ଛାତ୍ରୀ ଜଣକ ପୁରୁଷ ବନ୍ଧୁ ସହ ଖାଇବାକୁ ଯାଇଥିବାବେଳେ ଦୁର୍ବୃତ୍ତ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି ପୋଲିସ। ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି। ସେପଟେ ଦୁର୍ଗାପୁର ମେଡିକାଲ କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍ ସହିତ ତାର ଲଗାଯାଇଛି ଏବଂ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।