ପାଟନା: ସମସ୍ତ ଆଲୋଚନାର ଅନ୍ତ ଘଟାଇ ଶେଷରେ ବିଜେପିର ଯୋଗ ଦେଇଛନ୍ତି ବିହାରର ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର । ରାଜ୍ୟ ବିଜେପି ସଭାପତି ଦିଲୀପ ଜୟସୱାଲ ତାଙ୍କୁ ସଦସ୍ୟତା ପ୍ରଦାନ କରିଛନ୍ତି । ଏହା ସହିତ, ମୈଥିଲୀ ଠାକୁର ଅଲିନଗର କିମ୍ବା ଦରଭଙ୍ଗା ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେପି ଗାୟିକା ମୈଥିଲି ଠାକୁରଙ୍କୁ ପ୍ରଚାର ଅଭିଯାନରେ ସାମିଲ କରିପାରେ । ଯଦି ମୈଥିଲି ନିର୍ବାଚନ ଲଢ଼ନ୍ତି, ତେବେ ପ୍ରଥମ ଥର ପାଇଁ ବିହାର କୌଣସି ଲୋକ ସଂସ୍କୃତି ସହିତ ଜଡ଼ିତ ବ୍ୟକ୍ତି ରାଜନୀତିରେ ପାଦ ଦେବେ ।
୨୦୦୦, ଜୁଲାଇ ୨୫ରେ ମୈଥିଲୀ ଠାକୁର ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ସେ ବର୍ତ୍ତମାନ ୨୫ ବର୍ଷ ବୟସର। ସେ ବିହାରର ମଧୁବନୀର ମୂଳ ବାସିନ୍ଦା ଅଟନ୍ତି । ଦିଲ୍ଲୀର ନଜଫଗଡ଼ରେ ରହୁଛନ୍ତି। ତାଙ୍କ ପିତା ରମେଶ ଠାକୁର, ଯିଏ ତାଙ୍କର ଗୁରୁ ଏବଂ ସଙ୍ଗୀତ ଶିକ୍ଷା ଦିଅନ୍ତି । ତାଙ୍କ ମାତା ପୂଜା ଠାକୁର । ମୈଥିଲୀ ଏକ ମାତ୍ର ଝିଅ ହୋଇଥିବାବେଳେ ତାଙ୍କର ଦୁଇ ସାନ ଭାଇ ଋଷଭ ଠାକୁର ଏବଂ ଆୟାଚି ଠାକୁର ଅଛନ୍ତି । ୧୯୯୩ ମସିହାରେ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ସରକାର ଥିବାବେଳେ ଜାତିଗତ ଦଙ୍ଗାର ଶିକାର ହୋଇ ମୈଥିଲୀଙ୍କ ବାପା ଦିଲ୍ଲୀ ଚାଲିଯାଇଥିଲେ ଏବଂ ସେବେଠାରୁ ସେ ଦିଲ୍ଲୀରେ ହିଁ ରହୁଛନ୍ତି । ମୈଥିଲୀ ଅନେକ ଟିଭି ରିଆଲିଟି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ସେ ଲୋକଗୀତ ଏବଂ ଭଜନ ଗାୟିକା ପାଇଁ ଅଧିକ ଲୋକପ୍ରିୟ ଅଟନ୍ତି ।