ଭୁବନେଶ୍ଵର: ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହେବ ନୂଆ ଯୋଜନା। ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆମ ସୁବାହକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର କିଣିବା ପାଇଁ ବ୍ୟାଙ୍କରୁ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇ ଦିଆଯିବ। ଏଥିପାଇଁ ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ, ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ କାର୍ କିଣିବା ପାଇଁ ରଣ ମିଳିବ। ଏହି ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ।
ରାଜ୍ୟ ସରକାର ବାର୍ଷିକ ୧୧ ପ୍ରତିଶତ ହାରରେ ସୁଧ ସୁଝିବେ। ୨୧ରୁ ୪୦ ବର୍ଷର ମହିଳାଙ୍କୁ ସୁଯୋଗ ମିଳିବ। ସୁଭଦ୍ରା ହିତାଧିକାରୀ, ଏସ୍ଏଚ୍ଜି ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ। ଗାଡ଼ି କିଣିବାର ୩ ମାସ ପରେ ଆରମ୍ଭ ହେବ ଋଣ ପରିଶୋଧ ପ୍ରକ୍ରିୟା । ସୁଧ ବାଣିଜ୍ୟ ଓ ପରିବହନ ବିଭାଗ ସୁଝିବ। ଗାଡ଼ି ଚାଳକଙ୍କ ବୀମା ବାବଦରେ ୧ ହଜାର ଟଙ୍କା ଦେବେ ସରକାର। ଗାଡ଼ି କିଣିବା ବାବଦରେ ଖର୍ଚ୍ଚ ହେବ ୧୧୦ କୋଟି। ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେବା ପାଇଁ ଷ୍ଟିୟରିଂ କମିଟି ଗଠନ ହେବ। ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟି ଗଠନ ହେବ। ସରକାର ପ୍ରତି ୩ ମାସରେ ଥରେ ମହିଳାଙ୍କ ଆୟର ହିସାବ କରିବେ। ଏବେ ସୁଦ୍ଧା ୬୨୧୬ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇଛନ୍ତି ଏବଂ ୪ଟି ଡ୍ରାଇଭିଂ ପ୍ରତିଷ୍ଠାନରେ ଟ୍ରେନିଂ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ଆସନ୍ତା ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।