ଭୁବନେଶ୍ୱର: ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସୁକାନ୍ତ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁ । ସୁଧାଂଶୁଙ୍କ ସାନ ବାପାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ପ୍ରଧାନ ଏବେବି ଫେରାର ରହିଛି । ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଜୋନ୍-୩ ଏସିପି ତାପସ ଚନ୍ଦ୍ର ପ୍ରଧାନ ।
ପୋଲିସ ସୂଚନା ମୁତାବକ, ସୁଧାଂଶୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଷଡ଼ଯନ୍ତ୍ର ରଚାଯାଇଥିଲା । ସରକନ୍ତରା ଗ୍ରାମରେ ସୁଧାଂଶୁଙ୍କ ଘର । ସକାଳୁ ସକାଳୁ ଡ୍ୟୁଟିକୁ ଯିବା ଯିବାବେଳେ ଶିବ ଏବଂ ତାଙ୍କ ସହଯୋଗୀମାନେ ଗୁଳିକରି ହତ୍ୟା କରିଥିଲେ ।
ସୂଚନାଯୋଗ୍ୟ, ଗତକାଲି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏମ୍ସରେ କାର୍ୟ୍ୟରତ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ସରକନ୍ତରା ଗାଁରେ ଗୁଳିକରି ହତ୍ୟା କରାଯାଇଥିଲା। ଘରଠାରୁ ମାତ୍ର ଅଳ୍ପ କେତେ ଦୂରରେ ତାଙ୍କୁ ହତ୍ୟା କରାଯାଇଥିଲା । ପ୍ରଥମ ଗୁଳି ପରେ ସୁଧାଂଶୁ ଜୀବନ ବିକଳରେ ବାଇକ୍ ଛାଡ଼ି ବାଡ଼ି ପଛପଟକୁ ଦୌଡ଼ିଥିଲେ । ଅଭିଯୁକ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲେ । ଘର ଢିଓକୁ ନେଇ ସୁଧାଂଶୁଙ୍କ ବାପା ପଠାଣି ଏବଂ ଦାଦା ସୁକାନ୍ତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦରେ କୋର୍ଟଙ୍କ ରାୟ ସୁଧାଂଶୁଙ୍କ ସପକ୍ଷରେ ଯାଇଥିଲା । ପୂର୍ବରୁ ଶିବ ଅନେକବାର ଧମକ ମଧ୍ୟ ଦେଇଥିଲା । ଯାହାକୁ କାଲି ହତ୍ୟାର ରୂପ ଦେଇଥିଲା ।