କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାରେ ଷଷ୍ଠତମ ଅଭିଯୁକ୍ତ ଗିରଫ ହୋଇଛି । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଆଜି ଅପରାଧସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଯିବା ପରେ ପୋଲିସ ବାନ୍ଧିଛି । କଲେଜ୍ କ୍ୟାମ୍ପସ୍ ବାହାରକୁ ଡାକିକି ଜଙ୍ଗଲ ଭିତରକୁ ପ୍ରବର୍ତ୍ତାଇକି ନେବା ଅଭିଯୋଗରେ ଗିରଫ ହୋଇଛି । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଆସାନସୋଲ୍-ଦୁର୍ଗାପୁର ପୋଲିସ ସୂଚନା ଦେଇଛି ।
ଗଣଦୁଷ୍କର୍ମ ମାମଲାରେ ପୂର୍ବରୁ ସେଖ୍ ରିଆଜଉଦ୍ଦିନ, ଫିର୍ଦ୍ଦୋଶ ସେଖ୍, ଅପ୍ପୁ ବାଉରୀ, ନାସିରଉଦ୍ଦିନ ଓ ସେଖ୍ ସଫିକ୍ ଉଲ୍ ଗିରଫ ହୋଇଛନ୍ତି । ତେବେ ପୁରୁଷ ବନ୍ଧୁ କାହିଁକି ପୀଡ଼ିତାଙ୍କୁ ଜଙ୍ଗଲ ଭିତରକୁ ଡାକି ନେଇଥିଲେ, ତାହା ଏବେବି ଅସ୍ପଷ୍ଟ ରହିଛି ।
ଅନ୍ୟପକ୍ଷରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଦେଇଛନ୍ତି । ତାଙ୍କ ସହ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ମଧ୍ୟ ଯାଇଥିଲେ ।