ସୁନ୍ଦରଗଡ଼: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଚେତାବନୀ ପରେ ଦୁର୍ବଳ ହେଉଛି ଲାଲ ଗଡ଼ । ଗୋଟିଏ ପରେ ଗୋଟିଏ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ଏହି କ୍ରମରେ ଝାଡ଼ଖଣ୍ଡ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଦୁର୍ଦ୍ଦାନ୍ତ ମାଓ ନେତା ସୁନୀଲ ଗଞ୍ଜୁ ଗିରଫ ହୋଇଛି ।
ଗତକାଲି ହଜାରିବାଗ ପୋଲିସ ଅଧିକାରୀ ଅମିତ ଆନନ୍ଦଙ୍କ ନେତୃତ୍ୱରେ ଜୋରାକଟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଥିଲା । ଏହି ସମୟରେ ଚାନ୍ଦା ଆଦାୟ କରୁଥିବା ୪-୫ ସନ୍ଦିଗ୍ଧଙ୍କୁ ପୋଲିସ ଦେଖିଥିଲା । ସେମାନଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ଅନ୍ୟମାନେ ଫେରାର ହେବାରେ ସଫଳ ହୋଇଥିବାବେଳେ ସୁନୀଲ ଗଞ୍ଜୁ ପୋଲିସ ହାତରେ ଲାଗିଥିଲା ।
ପୂର୍ବ ଜୋନାଲ କମାଣ୍ଡର ସୁନୀଲର ଘର ଚତରା ଜିଲ୍ଲା ପଥଲଗଡ୍ଡା ଥାନା ସିମରାତରୀ ଗ୍ରାମରେ ଅଟେ । ସୁନୀଲର ଅପରାଧୀ ତାଲିକା ବହୁତ ଲମ୍ବା । ତା ନାଁରେ ୫୪ଟି ଅପରାଧିକ ମାମଲା ରହିଛି । ୧୯୯୦ରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲା । ୧୯୯୩ରେ ହଜାରିବାଗ ପୋଲିସ ସହିତ ଗୁଳି ବିନିମୟ ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ପାଞ୍ଚ ବର୍ଷ ପରେ ୧୯୯୮ରେ ସେ ଜେଲରୁ ମୁକ୍ତ ହୋଇଥିଲା । ଜେଲରୁ ମୁକୁଳିବା ପରେ ସେ ପୁଣି ଥରେ ମାଓ କାର୍ୟ୍ୟକଳାପରେ ଲିପ୍ତ ରହିଥିଲା । ହଜାରିବାଗ ଥାନା ବେଲତୁରେ ମାଓବାଦୀଙ୍କ ହିଂସା କାଣ୍ଡ ମାମଲାରେ ପୁଣି ଥରେ ୨୦୦୪ରେ ଗିରଫ କରାଯାଇଥିଲା ।
୨୦୧୮ ପୂର୍ବରୁ ସୁନୀଲ ନାଁରେ ୪୨ଟି ମାମଲା ରହିଥିବାବେଳେ ଏଯାବତ୍ ଆଉ ୧୨ଟି ମାମଲା ରୁଜୁ ହୋଇଛି । ପୋଲିସ ତାକୁ ଅଧିକ ଜେରା କରିବା ପରେ କୋର୍ଟ ଚାଲାଣ କରିଛି । ଏହି ସମୟରେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।