ବ୍ରହ୍ମପୁର: ଆଇନଜୀବୀ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ପୀତବାସଙ୍କୁ ୯ ଏମ୍ଏମ୍ ପିସ୍ତଲରୁ ଗୁଳି କରାଯାଇଥିଲା । ଗୁଳି ସିଧା ପୀତବାସଙ୍କ ମେରୁଦଣ୍ଡରେ ବାଜିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।
ଦୁର୍ବୃତ୍ତମାନେ ପୀତବାସଙ୍କୁ ପଏଣ୍ଟ ବ୍ଲାଙ୍କ ଅର୍ଥାତ୍ ଅତି ନିକଟରୁ ଗୁଳି କରିଥିଲେ । ଫଳରେ ଗୁଳିଟି ପୀତବାସଙ୍କ ଛାତିରେ ବାଜି ମେରୁଦଣ୍ଡକୁ ଛୁଇଁଥିଲା । ଶରୀରର ବହୁ ଶିରାକୁ କ୍ଷତି ପହଁଚାଇଥିଲା । ପୀତବାସଙ୍କ ଡାହାଣ ପାର୍ଶ୍ୱ ଛାତିରେ ଗୁଳି ବାଜିଥିଲା । ପୀତବାସଙ୍କ ଶରୀରରୁ ଗୋଟିଏ ଗୁଳି ବାହାରିଥିଲା । ୯ ଏମଏମ୍ ଗୁଳିକୁ ବାହାର କରାଯାଇଥିଲା । ଗୁଳିକାଣ୍ଡରେ ଦୁର୍ବୃତ୍ତମାନେ ୯ ଏମଏମ୍ ପିସ୍ତଲ ବ୍ୟବହାର କରିଥିବା ସ୍ପଷ୍ଟ ହୋଇଛି ।
ଅନ୍ୟପକ୍ଷରେ ପୀତବାସଙ୍କୁ ସୁପାରି କିଲର୍ ଦେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଦୁଇ ଦୁର୍ବୃତ୍ତ ପ୍ରଥମେ ବାଇକରେ ଆସି ରେକି କରିଥିଲେ । ଏହା ପରେ ଦ୍ୱିତୀୟ ଥର ପାଇଁ ଆସି ପୀତବାସଙ୍କୁ ଗୁଳି କରିଥିଲେ । ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଜଣାପଡ଼ିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସକୁ କୌଣସି ସୁରାକ ମିଳି ପାରିନାହିଁ । ଏହା ରାଜନୈତିକ ଶତ୍ରୁତା ନା ବ୍ୟକ୍ତିଗତ ଶତ୍ରୁତା ତାହା ଜଣାପଡ଼ି ନାହିଁ ।
ସୋମବାର ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ରାସ୍ତାରେ ପୀତବାସ ଯାଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ମାରିଥିଲେ । ସ୍ଥାନୀୟ ଲୋକେ ପୀତବାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଇକରେ ତୁରନ୍ତ ମେଡ଼ିକାଲ ନେଇ ଯାଇଥିଲେ । ବ୍ରହ୍ମପୁର ଏମକେସିଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।