ଭୁବନେଶ୍ୱର: ନୂଆପଡ଼ା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିବାବେଳେ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ କୌଣସି ଦଳର ପ୍ରାର୍ଥୀ ଏ ଯାଏଁ ନାମାଙ୍କନ ଦାଖଲ କରିନାହାଁନ୍ତି । ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ଥିବା ସାଂସଦ ସୁଜିତ କୁମାର ସୂଚନା ପ୍ରଦାନ କରିଛନ୍ତି ।
ସୁଜିତ କୁମାର ସୂଚନା ଦେଇଛନ୍ତି ଯେ ବିଜେପିରୁ ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି, କେବଳ ଔପଚାରିକ ଘୋଷଣା ବାକି ରହିଛି । ଆସନ୍ତା ୧୬ ତାରିଖରେ ଜୟ ନାମାଙ୍କନ ଦାଖଲ କରିବେ । ଏଥିରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ବିଜେପିର ବରିଷ୍ଠ ନେତାମାନେ ନାମାଙ୍କନ ଦାଖଲବେଳେ ଉପସ୍ଥିତ ରହିବେ । ଖାଲି ସେତିକି ନୁହେଁ ସେହିଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ବିରୋଧୀ ବିଜେଡ଼ି ଏବଂ କଂଗ୍ରେସର ପ୍ରାୟ ୨୦୦୦ କର୍ମୀ ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି ସାଂସଦ ।
ପ୍ରାୟ 50 ହଜାର ଭୋଟ୍ ବ୍ୟବଧାନରେ ବିଜେପି ବିଜୟୀଲାଭ କରିବ ବୋଲି ସୁଜିତ ଆଶାବ୍ୟକ୍ତ କରିଛନ୍ତି । ନୂଆପଡ଼ାର ବିକାଶ ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ଭେଟି ଦେଇଛନ୍ତି । ତେଣୁ ନୂଆପଡ଼ାବାସୀଙ୍କ ସମର୍ଥନ ମିଳିବ ।