ନୂଆଦିଲ୍ଲୀ: ବିହାର ନିର୍ବାଚନରେ ଦେଖିବାକୁ ମିଳିବ ଭାଇ ଭାଇଙ୍କ ମଧ୍ୟରେ ଲଢ଼େଇ । ନବଗଠିତ ଜନଶକ୍ତି ଜନତା ଦଳ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ପ୍ରାଥମିକ ପର୍ଯ୍ୟାୟ ତାଲିକାରେ ୨୧ ପ୍ରାର୍ଥୀଙ୍କ ନାମ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଦଳର ମୁଖ୍ୟ ତେଜ ପ୍ରତାପ ଯାଦବ ମହୁଆ ଆସନରୁ ନିର୍ବାଚନ ଲଢ଼ିବେ ।
୨୦୨୫ ବିହାର ନିର୍ବାଚନରେ ତେଜ ପ୍ରତାପ ଯାଦବ ନିଜେ ନିର୍ବାଚନ ଲଢ଼ିବେ । ମହନାର ଆସନରୁ ଜୟ ସିଂହ ରାଠି, ହିସୁଆରୁ ରବି ରାଜ କୁମାର, ଶାହପୁରରୁ ମଦନ ଯାଦବ ଏବଂ ପାଟନା ସାହିବରୁ ମୀନୁ କୁମାରୀଙ୍କୁ ଟିକେଟ ଦିଆଯାଇଛି।
ତେଜ ପ୍ରତାପ ନିଜ ପରିବାର ପ୍ରତି ବିଦ୍ରୋହ ଭାବ ଦେଖାଇଛନ୍ତି । ଆରଜେଡିରୁ ବହିଷ୍କୃତ ହେବା ପରେ, ତେଜ ପ୍ରତାପ ଜନଶକ୍ତି ଜନତା ଦଳ ନାମରେ ଏକ ନୂତନ ଦଳ ଗଠନ କରିଥିଲେ । ବର୍ତ୍ତମାନ ସେ ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏହା ନିର୍ବାଚନରେ ଆରଜେଡିକୁ ବହୁତ କ୍ଷତି ପହଞ୍ଚାଇପାରେ।
ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆଇଆରସିଟିସି ମାମଲାରେ ଲାଲୁଙ୍କ ପରିବାର ବିରୁଦ୍ଧରେ ଠକେଇ ଏବଂ ଷଡ଼ଯନ୍ତ୍ର ଆସିଥିବା ଅଭିଯୋଗର ଶୁଣାଣି କରିଛନ୍ତି । ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛି। ଅର୍ଥାତ୍ ସେମାନେ ଏବେ ଏହି ମାମଲାରେ ବିଚାରର ସମ୍ମୁଖୀନ ହେବେ।