ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ସିଟ୍ ବଣ୍ଟନ ନେଇ ଏନଡିଏରେ ବଡ ସହମତି ପ୍ରକାଶ ପାଇଛି । ଗତ କିଛି ଦିନରେ ଚର୍ଚ୍ଚା ଚାଲିଥିଲା ଯେ, ଚିରାଗ ପାସୱାନ ୪୦ରୁ କମ ସିଟ ହେଲେ ରାଜି ହେବେ ନାହିଁ । ଆଉ ଏହି ଜିଦରେ ସେ ଅଟଳ ରହିଥିଲେ । ତେବେ ଦଳୀୟ ସୂତ୍ର ଅନୁଯାୟୀ, ଚିରାଗ ୨୫ ସିଟ୍ ଉପରେ ରାଜି ହୋଇ ପାରନ୍ତି । ଏହାରି ବଦଳରେ ତାଙ୍କୁ ବିଜେପିଠୁ କେନ୍ଦ୍ରରୁ ନେଇ ବିହାର ପର୍ଯ୍ୟନ୍ତ ଅଧିକ ମହତ୍ୱ ଦିଆଯିବ ଏବଂ ମନ୍ତ୍ରଣାଳୟ ଦିଆଯିବାର ଭରସା ମିଳିଛି । ତାଙ୍କ ପାର୍ଟିକୁ ଗୋଟିଏ ରାଜ୍ୟସଭା ସିଟ୍ ମଧ୍ୟ ଅଫର କରାଯାଇପାରେ । ବିଜେପିଠୁ ମିଳିଥିବା ଏହି ଭରସା ପରେ ଚିରାଗ ପାସୱାନ ୨୫ ସିଟରେ ଲଢିବା ନେଇ ରାଜି ହୋଇ ପାରନ୍ତି ।
ଚିରାଗ ପାସୱାନଙ୍କ ବୟାନରୁ ମଧ୍ୟ ଏହି ସଙ୍କେତ ମିଳୁଛି । ଚିରାଗଙ୍କ କହିବା କଥା ଏନଡିଏରେ ସବୁ କିଛି ଠିକ୍ ରହିଛି ଏବଂ ଶୀଘ୍ର ସିଟ ବଣ୍ଟନ ନେଇ ଘୋଷଣା ହୋଇଯିବ । ବର୍ତ୍ତମାନ କୌଣସି ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କିନ୍ତୁ ଏହା କୁହାଯାଉଛି ଯେ, ଚିରାଗ ୨୫ ସିଟ୍ ଉପରେ ରାଜି ହୋଇ ପାରନ୍ତି । ଗୁରୁବାର ଦୁଇ ପକ୍ଷ ମଧ୍ୟରେ ବୈଠକ ହୋଇଥିଲା । ଏଥିରେ ବିଜେପି ଓ ଏଲଜେପିର ଅନେକ ନେତା ଦିନ ସାରା ଉପସ୍ଥିତ ଥିଲେ । ମିଟିଂରେ ନିତ୍ୟାନନ୍ଦ ରାୟଙ୍କ ବ୍ୟତୀତ ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନୀ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ବୈଠକ ପରେ ଚିରାଗ ପାସୱାନଙ୍କ କହିବା କଥା ସବୁ କିଛି ଠିକ୍ ଚାଲିଛି ଏବଂ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଉଲ୍ଲେଖନୀୟ ବିହାରରେ ନଭେମ୍ବର ୬ ଓ ୧୧ ତାରିଖ ଭୋଟିଂ ରହିଛି । ଭୋଟ୍ ଗଣତି ନଭେମ୍ବର ୧୪ ତାରିଖ ରହିଛି । ବିଜେପି ଚାହୁଁଛି ତାଙ୍କ ପ୍ରାର୍ଥୀମାନଙ୍କୁ ପ୍ରଚାର ପାଇଁ ଅତି କମରେ ୨୦ ଦିନର ସମୟ ମିଳୁ । ହେଲେ ଏନଡିଏରେ ସିଟ୍ ବଣ୍ଟନ ନେଇ ଅଙ୍କ ନ ଛିଣ୍ଡିବା କାରଣରୁ ପ୍ରାର୍ଥୀ ଘୋଷଣା ବିଳମ୍ବ ଘଟିଛି । କିନ୍ତୁ ଏବେ ଏନଡିଏରେ ସହମତି ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି ।
Also read: ‘ଇନଷ୍ଟାଗ୍ରାମ’ରେ ଯୋଡ଼ି ହେଲା ‘ହିନ୍ଦୀ’, ଏଆଇରେ ହେବ ଟ୍ରାନ୍ସଲେଟ୍