ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ଲାଗି ରହିଥିବା ଛକା ପଞ୍ଝା ଆଜି ଅନ୍ତ ହେବାର ବେଶ ସମ୍ଭାବନା ରହିଛି । ବିରୋଧୀ ବିଜେଡ଼ିର ସବୁ ଗଣିତ ଭୁଲ ପ୍ରମାଣିତ ହୋଇପାରେ । ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ମିଳିଛି । ପୂର୍ବତନ ନୂଆପଡ଼ା ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି । ଶନିବାର ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହିତ ସେ ଦଳରେ ଯୋଗ ଦେଇପାରନ୍ତି । ଯଦି ଏହି ଚର୍ଚ୍ଚା ସତ୍ୟ ହୁଏ ତେବେ ବିଜେଡ଼ିକୁ ବଡ଼ ଝଟକା ଲାଗିବ ।
ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ଘାସିରାମ ମାଝୀଙ୍କୁ ଦଳ ମଇଦାନକୁ ଓହ୍ଲାଇଛି । ଘାସିରାମ ଗତ ନିର୍ବାଚନରେ ସ୍ୱାଧୀନରେ ଲଢ଼ି ମାତ୍ର ଅଳ୍ପ କେତେ ବ୍ୟବଧାନରେ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଏଯାଏ ବିଜେପି ଏବଂ ବିଜେଡ଼ି କେହି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରୁ ଫେରିବା ପରେ ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଲୋଚନା ହେଉଥିଲା । ଗତକାଲିଠାରୁ ନବୀନ ଦିଲ୍ଲୀରୁ ଫେରିଛନ୍ତି, ମାତ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇ ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ୭୧ ନମ୍ବର ଆସନ ନୂଆପଡ଼ା ଖାଲି ରହିଛି । ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିବ ।