ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ ମଙ୍ଗଳବାର ମୋହର ଲଗାଇଛି ଏଆଇସିସି। ଏଆଇସିସି ପକ୍ଷରୁ ସାଧାରଣ ସଂପାଦକ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଘାସିରାମ ମାଝୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହେବାପରେ ଦଳୀୟ ମହଲରେ ଆନନ୍ଦ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରଠାରୁ ସମ୍ଭାବ୍ୟ ଉପନିର୍ବାଚନ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ପ୍ରଥମରୁ ହିଁ ଘାସିରାମ ମାଝୀ ଦଳର ପ୍ରାର୍ଥୀ ହେବେ ବୋଲି କରାଯାଉଥିବା ଆକଳନ ସତ୍ୟ ହୋଇଛି। ଗତ ୨୦୨୪ ନିର୍ବାଚନକୁ ମିଶାଇ ଘାସିରାମ ମାଝୀ ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩ ଥର ଲଢି ହାରିଛନ୍ତି । ୨୦୧୪ ଓ ୨୦୧୯ରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ବେଳେ ଗତ ୨୦୨୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ଲଢି ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇବା ସହ ଦ୍ବିତୀୟ ସ୍ଥାନରେ ଥିଲେ। କଂଗ୍ରେସର ଦଳୀୟ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାରରୁ ଅଧିକ ଭୋଟ ପାଇଥିବାରୁ ଏଥର କଂଗ୍ରେସ ଖାତାରେ ୬୫ ହଜାରରୁ ଅଧିକ ଭୋଟ୍ ହେବା ନେଇ ପିସିସି ସଭାପତି ଆକଳନ କରିଛନ୍ତି । ତେଣୁ ଏ ଥର ସେ ଜିତିବାରେ ଅସୁବିଧା ହେବନାହିଁ ବୋଲି ପିସିସି ଭକ୍ତ ଚରଣ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ୧୪ ରେ ଫଳାଫଳ ଘୋଷଣା ହେବ।