ନୂଆଦିଲ୍ଲୀ: ତାରିଖ ଘୋଷଣା ହେବା ପରେ ବିହାର ନିର୍ବାଚନୀ ବାତାବରଣ ଆହୁରି ସରଗରମ ହୋଇଛି । ନିର୍ବାଚନୀ ପ୍ରକ୍ରିୟାରେ ପାଦେ ଆଗକୁ ବଢ଼ିଛି ପ୍ରଶାନ୍ତ କିଶୋରଙ୍କ ଦଳ ସନ ସୂରାଜ ପାର୍ଟୀ । ଜନ ସୁରାଜ ଗୁରୁବାର ପ୍ରାଥମିକ ପର୍ଯ୍ୟାୟରେ ୫୧ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।
ଜନ ସୁରାଜ ଦଳ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ମନୋଜ ଭାରତୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ପପ୍ପୁ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତ୍ୟାଶୀଙ୍କ ନାମ ଜାରି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର ଅନୁପସ୍ଥିତ ଥିଲେ । ଦଳ ଘୋଷଣା କରିଛି ଯେ ପ୍ରଶାନ୍ତ କିଶୋର ନିଜେ ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିର୍ବାଚନମଣ୍ଡଳୀ ରାଘୋପୁର ଆସନରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି । ତେବେ ପ୍ରଶାନ୍ତ କିଶୋର ଗଣମାଧ୍ୟମକୁ କହିଛନ୍ତି ଯେ ସେ ନିଜେ ରାଘୋପୁର ଯାଇ ସ୍ଥିତି ଅନୁଧ୍ୟାନ କଲାପରେ ନିଷ୍ପତ୍ତି ନେବେ।
ବାଲ୍ମୀକି ନଗର, ଲୌରିୟା, ହରସିଦ୍ଧି, ଢାକା, ସୁରସଣ୍ଡ, ରନନୀସୈଦପୁର, ବୈନିପଟ୍ଟୀ, ନିର୍ମଲୀ, ସିକଟୀ କୋଟାଧାମନ, ଅମୌର, ବାୟସୀ, ପ୍ରାଣପୁର, ଦରଭଙ୍ଗା ଗ୍ରାମୀଣ, ଦରଭଙ୍ଗୀ, କୈବଟୀ ଆଦି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିହାରରେ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ । ବିହାରରେ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ୪୦ଟି ସଂରକ୍ଷିତ ରହିଛି । ସେଥିମଧ୍ୟରୁ ୩୮ଟି ଅନସୂଚିତ ଜାତି ଓ ୨ଟି ଅନସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ରହିଛି । ମୋଟ ୭ କୋଟି ୪୨ ଲକ୍ଷ ମତଦାତା ନିଜର ମତ ସାବ୍ୟସ୍ତ କରିବେ ।