ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବର୍ଷା ପ୍ରତ୍ୟାହାର ହେବ ବୋଲି ଆଇଏମ୍ଡି କହିଛି। ଆଜିଠୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ଓଡ଼ିଶା ଜିଲ୍ଲା କେନ୍ଦୁଝରରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ।
ଏବେ ମୌସୁମୀ ବାୟୁର ପ୍ରତ୍ୟାହାର ରେଖା ବାରଣାସୀ, ଜବଲପୁର, ଆକୋଲା, ଅହଲ୍ୟାନଗର, ଆଲିବାଗ ଦେଇ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକିମ୍, ତେଲେଙ୍ଗାନାର କିଛି ଅଞ୍ଚଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରର ଅବଶିଷ୍ଟ ଅଂଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିବ। ଆସନ୍ତା ୬ରୁ ୭ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବଡ଼ ପରିବର୍ତନ ହେବ ନାହିଁ। ୧୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ।
ଏଥର ମୌସୁମୀଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ପାଣିପାଗ ବିଜ୍ଞାନୀ ମାନଙ୍କ ମତ ଅନୁସାରେ ଚଳିତ ବର୍ଷ ଶେଷରେ ପ୍ରଶାନ୍ତ ମହାସାଗରରେ ଲା-ନିନା ସକ୍ରିୟ ହେବା ଦ୍ବାରା ଭାରତ ସମେତ ସମଗ୍ର ବିଶ୍ୱର ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। ଲା-ନିନା ପ୍ରଭାବ ଯୋଗୁ ଭାରତରେ ଶୀତଦିନ ସାଧାରଣ ଅପେକ୍ଷା ଅଧିକ ଥଣ୍ଡା ହୋଇପାରେ। ବିଶେଷକରି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।