ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି । ବଦଳିଗଲା ନୂଆପଡ଼ା ଆସନ ସମୀକରଣ ଏବଂ ସବୁଜ ରଙ୍ଗ ପୋଷ୍ଟର ହୋଇଗଲା ଗେରୁଆ ରଙ୍ଗ । ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ପ୍ରଥମ ଝଟକା ଲାଗିଛି । ଭୁଶୁଡ଼ି ଯାଇଛି ବିଜେଡ଼ି ଦୁର୍ଗ । ଶେଷରେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି ପୂର୍ବତନ ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।ଶନିବାର ଶତାଧିକ ସମର୍ଥକଙ୍କ ସହିତ ବଡ଼ ଶୋଭାଯାତ୍ରାରେ ଆସି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ପଦ୍ମ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଭାପତି ମନମୋହନ ସାମଲଙ୍କ ବହୁ ତୁଙ୍ଗ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ଯୋଗଦେଇଛନ୍ତି ।
ଜୟ ଢୋଲକିଆରେ ବିଜେଡ଼ିରୁ ଉପନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି ଜୟ । ଦୁଲୁକିଥିଲା ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଓ ନୂଆପଡ଼ା ରାସ୍ତା । ସେପଟେ ନୂଆପଡ଼ାରେ ମଧ୍ୟ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । କାହା ହାତରେ ଦଳୀୟ ପତାକା କିମ୍ବା ପୋଷ୍ଟର ନ ଥିଲା, ତଥାପି ଜୟଙ୍କୁ ସମର୍ଥନ କରିବାକୁ ଆସିଥିବା କହିଥିଲେ । ଏପଟେ ନୂଆପଡ଼ା ଉପନିର୍ବାଚନ ଉଷ୍ଣ ଭୁବନେଶ୍ୱରରେ ଅନୁଭବ କରିହେଉଥିଲା । ଜୟଙ୍କ ସାଙ୍ଗରେ ଥିଲେ ଶହ ଶହ ସଂଖ୍ୟାରେ ସମର୍ଥକ । ଶୋଭାଯାତ୍ରା ଚାଲିଥିଲା ବିଜେପି କାର୍ଯ୍ୟାଳୟକୁ । ଢୋଲ, ବାଜାର ତାଳେ ତାଳେ ସମର୍ଥକଙ୍କ ସହିତ ଜୟ ଆସି ଅପରାହ୍ନ ସାଢ଼େ ୩ଟା ବେଳକୁ କାର୍ଯ୍ୟାଳୟରେ ପହଁଚିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତରୀୟ ପିନ୍ଧାଇଥିବାବେଳେ ଏବଂ ମନମୋହନ ସାମଲଙ୍କ ଅନୁରୋଧରେ କନକ ବର୍ଦ୍ଧନ ସିଂହ ଦେଓ ଦଳୀୟ ଟୋପି ପିନ୍ଧାଇ ଜୟଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ଏହି ମିଶ୍ରଣ ପର୍ବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଉଚ୍ଚି ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଅନ୍ୟ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ୭୧ ନମ୍ବର ଆସନ ନୂଆପଡ଼ା ଖାଲି ରହିଛି । ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିବ ।