ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଗପତର ଏକ ଗାଁରେ ଘଟିଛି ଜଘନ୍ୟ ଅପରାଧ । ମସଜିଦ ଭିତରେ ଜଣେ ମୌଲାନାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକମାନେ ହେଲେ ମୁଜାଫରନଗରର ସୁନ୍ନା ଗାଁର ବାସିନ୍ଦା ମୌଲାନା ଇବ୍ରାହିମଙ୍କ ପତ୍ନୀ ଇସରାନା (୩୨), ବଡ଼ ଝିଅ ସୋଫିଆ (୫) ଏବଂ ସାନ ଝିଅ ସୁମାୟା (୨) ।
ମୁଜାଫରନଗରର ସୁନ୍ନା ଗାଁର ବାସିନ୍ଦା ମୌଲାନା ଇବ୍ରାହିମ ଗଙ୍ଗନୋଲି ଗାଁ ମସଜିଦରେ ନମାଜ ପାଠ କରନ୍ତି । ସେ ତାଙ୍କର ପରିବାର ସହିତ ମସଜିଦର ଉପର ମହଲାରେ ଏକ ଘରେ ରହୁଥିଲେ । ସେ ଶୁକ୍ରବାର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦେଓବନ୍ଦ ଯାଇଥିଲେ । ତେବେ ଶନିବାର ସକାଳୁ ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ରକ୍ତ ଜୁଡ଼ୁବୁଡ଼ୁ ଦେହ ମସଜିଦରୁ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ସେମାନଙ୍କୁ ପିଟିପିଟି ହତ୍ୟା କରିଛି ।
ମୌଲାନାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅପରାଧୀମାନେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ତିନୋଟି ମୃତଦେହକୁ ଜବତ କରିଛି ଏବଂ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ।
ସେପଟେ ଗାଙ୍ଗନୋଲି ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଉତ୍ତେଜନା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି । କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ଗାଁରେ ଏବଂ ମସଜିଦ ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।