ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ ଚାଲିଛି। ବୁଧବାର ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବହୁ ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ନୂଆପଡା ପାଇଁ ଟିକେଟ୍ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି। ଏହା ସହ ଆଉ ୨ ଆଶାୟୀ ଭାନୁପ୍ରତାପ ମାଝୀ ଓ ଅବନୀ ଯୋଶୀଙ୍କୁ ବି ଡକରା ହୋଇଛି। ସମସ୍ତଙ୍କ ସହ ଆଲୋଚନା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ସୂଚନା ରହିଛି।
ସେପଟେ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି । ବୁଧବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଜୟଙ୍କ ନାମକୁ ବିଧିବଦ୍ଧ ଭାବରେ ପ୍ରକାଶ କରିଛି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ଢୋଲକିଆ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି। ସେହିପରି କଂଗ୍ରେସ ମଧ୍ୟ ସବୁଠୁ ଆଗ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇ ସାରିଛି। ଏବେ ଖାଲି ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ରହିଛି।