ନୂଆପଡ଼ା: ନୂଆପଡ଼ା ଲଢ଼େଇ ଏଥର ଜୋରଦାର ହେବ । ସମସ୍ତ ଦଳ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଆଉ ଅଳ୍ପ କେଇଟା ଦିନ ପରେ ପଡ଼ିବ ଭୋଟ୍ । କଂଗ୍ରେସ ଓ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । କିନ୍ତୁ ଗତ ନିର୍ବାଚନର ନୂଆପଡ଼ା ଆସନକୁ ଅକ୍ତିଆର କରିଥିବା ବିଜେଡ଼ି ଏବେ ପଛରେ ପଡ଼ିଯାଇଛି । ପ୍ରାର୍ଥୀ ଚୟନକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରୁ ନାହିଁ । ଦଳର ନେତୃବୃନ୍ଦ ନବୀନ ନିବାସରୁ ନୂଆପଡ଼ା ଏବଂ ନୂଆପଡ଼ାରୁ ନବୀନ ନିବାସ ଯିବା ଆସିବା କରୁଛନ୍ତି । ଦଳ କାହା ନାଁରେ ମୋହର ମାରିବ ଏବେ ବଡ଼ ପ୍ରଶ୍ନ ।
ଜୟ ଢୋଲକିଆ ବିଜେଡ଼ିକୁ ଚକମା ଦେଇ ବିଜେପିରେ ମିଶିବା ପରେ ଦଳରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଏକାଧିକ ଆଶାୟୀ ଟିକେଟ୍ ପାଇଁ ଦାବି କରୁଛନ୍ତି । ବିଜେଡ଼ି ଏକ କମିଟି ନୂଆପଡ଼ା ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଯାଇ ସେଠାରୁ ନିରାଶ ହୋଇ ଫେରିଛି । କାରଣ ଗୋଟିଏ ପଟେ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ଟିକେଟ୍ ପାଇଁ ଦାବି କରୁଥିବାବେଳେ ସେପଟେ ଆଦିବାସୀ କଲ୍ୟାଣ ସମିତି ସଭାପତି ଭାନୁପ୍ରତାପ ମାଝୀ ଓ ଅବନୀ ଯୋଶୀ ମଧ୍ୟ ସମାନ ଦାବି କରିଛନ୍ତି । ଆଜି ତିନି ଆଶାୟୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ନବୀନ ନିବାସରେ ଏକାଠି ହୋଇବି ଡକରା ହୋଇଛି । ତେବେ ଦଳ କାହା ନାଁକୁ ଚୂଡ଼ାନ୍ତ କରୁଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।
କଂଗ୍ରସେ ଘାସିରାମ ମାଝୀଙ୍କୁ ମଇଦାନକୁ ଓହ୍ଲାଇଛି । ଯିଏ ଗତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ପରାସ୍ତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହିପରି ବିଜେପି ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆଙ୍କ ନାମ ଘୋଷଣା କରିଛି । ଉଭୟ ଦଳ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି ।