ନୂଆଦିଲ୍ଲୀ: ମାନ୍ୟବର ସର୍ବୋଚ୍ଚ ଅଦାଲତ ଏକ ପାରିବାରିକ ମାମଲାର ଶୁଣାଣି କରି ଦେଶର କୋଟି କୋଟି ଦମ୍ପତ୍ତିଙ୍କୁ ବଡ଼ ଟିପ୍ପଣୀ ଦେଇଛନ୍ତି । ପତ୍ନୀମାନେ ସ୍ୱାମୀଙ୍କୁ ନଟୁ ପରି ବୁଲାଇବା ବନ୍ଦ କରନ୍ତୁ ଏବଂ ବାପା-ମା ନିଜ ନିଜର ଅହଂକାର ଛାଡ଼ି ପିଲାଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେବା ଉଚିତ ।
ଏକ ସରକାରୀ ଚାକିରି କରୁଥିବା ଦମ୍ପତ୍ତିଙ୍କୁ ଛାଡ଼ପତ୍ର ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ନ୍ୟାୟାଧୀଶ ବିବି ନାଗରତ୍ନା ଓ ନ୍ୟାୟାଧୀଶ ଆର୍. ମହାଦେବନଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଉଚ୍ଚ ପଦରେ ରହିଛନ୍ତି । ସ୍ୱାମୀ ଦିଲ୍ଲୀରେ ରେଳ ବିଭାଗରେ କାର୍ଯ୍ୟରତ ଥିବାବେଳେ ସ୍ତ୍ରୀ ପାଟନାରେ ରିଜର୍ଭ ବ୍ୟାଙ୍କରେ କାମ କରନ୍ତି । ସ୍ତ୍ରୀ ନିଜ ବାପା ମାଙ୍କ ସହିତ ସେଠାରେ ରୁହନ୍ତି । ୨୦୧୮ରେ ଉଭୟଙ୍କ ବିବାହ ହୋଇଥିଲା । ସେମାନଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ଝିଅର ବୟସ ପାଞ୍ଚ ବର୍ଷ ହୋଇଥିବାବେଳେ ପୁଅ ମାତ୍ର ୩ ବର୍ଷର । ୨୦୨୩ରେ ଉଭୟ ଦମ୍ପତ୍ତି ଅଲଗା ଅଲଗା ରହୁଛନ୍ତି । ସ୍ୱାମୀଙ୍କ ଅଭିଯୋଗ ମୁତାବକ ସ୍ତ୍ରୀ ଶାଶୁ ଘରେ ରହିବାକୁ ପସନ୍ଦ କରୁନାହାଁନ୍ତି । ସେପଟେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଉଭୟଙ୍କ ଝଗଡ଼ାରେ ଦୁଇ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଛି । କୋର୍ଟ ମାମଲାର ଶୁଣାଣି କରି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ତେଣୁ ନିଜ ନିଜ ଭିତରେ ଅହଂକାରକୁ ତ୍ୟାଗ କରି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି ।