ଭବାନୀପାଟଣା: ଟଙ୍କା ପାଇଁ ପୁଅ ସାଜିଲା ନକଲି ମାଓବାଦୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ। ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖି ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା ପୁଅ। ତେବେ ଘଟଣାର ତଦନ୍ତ ପରେ ପୁଲିସ୍ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି ।
ସୂଚନା ଅନୁସାରେ ରପ୍ରା ରୋଡର ଜଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ ନିଜ ବାପାଙ୍କୁ ମାଓବାଦୀଙ୍କ ନାଁରେ ୩୫ ଲକ୍ଷ ଟଙ୍କା ବଟି ଦେବାକୁ ଚିଠି ଲେଖିଥିଲା। ଦିନେଶଙ୍କ କାର ଭିତରେ ସେ ଏହି ଧମକପୂର୍ଣ୍ଣ ଚିଠି ରଖିଥିଲା। ଟଙ୍କା ନଦେଲେ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଥିଲା। ଏନେଇ ପରିବାର ଭୟଭୀତ ହେଇ ତୁରନ୍ତ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ପରିଶେଷରେ ଜାଣିବାକୁ ପାଇଥିଲା ଯେ, ଏସବୁ କାମ ଦିନେଶଙ୍କ ପୁଅ ଅଙ୍କୁଶ କରିଛି। ଏହାପରେ ପୋଲିସ ଅଙ୍କୁଶକୁ ଗିରଫ କରି ଏମ.ରାମପୁର କୋର୍ଟଚାଲାଣ କରିଛି।