ଉତ୍ତରାଖଣ୍ଡ : ପୁଣି ମନମାନି କଲା ଇସ୍କନ। ଜଗନ୍ନାଥ ସଂସ୍କୃତି ପ୍ରତି ପୁଣି ଅପମାନ । ପୁଣି ଇସ୍କନ କଲା ଅଦିନିଆ ରଥଯାତ୍ରା। ସୂଚନା ଅନୁଯାଯୀ ଚଳିତମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ମଧୁବନ ଆଶ୍ରମ ରିଷିକେଷ ଦ୍ୱାରା ଆୟୋଜିତ ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ଇସ୍କନ ସମ୍ପୂର୍ଣ୍ଣ କରିଛି । ଇସ୍କନ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ମଧୁବନ ଆଶ୍ରମ ଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀ ଗୁରୁ ସିଂ ସଭା ରେଳୱ ରୋଡରେ ଏହି ଅଦିନିଆ ରଥଯାତ୍ରା ହୋଇଛି । ଇସ୍କନ ବାରମ୍ବାର ବିଧି ପରମ୍ପରା ଭାଙ୍ଗି ଅଦିନିଆ ରଥଯାତ୍ରା କରୁଛି । ଏମିତି କି ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଗତମାସ ସେପ୍ଟେମ୍ବର ୬ ତାରିଖରେ ଇସ୍କନର ଏହି ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗଜପତିଙ୍କ ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଇସ୍କନକୁ ପ୍ରଦାନ କରାଯାଇଥିଲା । ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତିଙ୍କ ଦ୍ଵାରା ଇସ୍କନକୁ ଚିଠି ମଧ୍ଯ ଲେଖାଯାଇଥିଲା । କିନ୍ତୁ ମାତ୍ର ଏକମାସ ପରେ ଇସ୍କନ ପୁନର୍ବାର ତାର ମନମାନି କରିଛି। ଚଳିତମାସ ୭ ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା । ତେଣୁ ଏହା ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅପମାନ ହୋଇଥିବା ବେଳେ ଏଥର ଇସ୍କନର ଅଦିନିଆ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନିଆଯାଉ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ସବୁରି ମହଲରୁ ଅନୁରୋଧ କରାଯାଇଛି ।