ମୁୁମ୍ବାଇ: ମହାଭାରତରେ କର୍ଣ୍ଣ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପଙ୍କଜ ଧୀର ଏବେ ଆଉ ଦୁନିଆରେ ନାହାନ୍ତି । ବୁଧବାର ୬୮ ବର୍ଷ ବୟସରେ ପଙ୍କଜ ଧୀରଙ୍କ ପରଲୋକ ଘଟିଛି । ବିଆର ଚୋପ୍ରାଙ୍କ ମହାଭାରତର ଏହି କର୍ଣ୍ଣ ଦୀର୍ଘ ସମୟ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ । ସେ ଅନେକ ବର୍ଷ ଧରି ଏହି ରୋଗ ସହ ସଂଘର୍ଷ କରୁଥିଲେ । ହେଲେ ଗତ କିଛି ମାସ ହେବ ପୁଣି ଥରେ ତାଙ୍କଠି କ୍ୟାନସର ରୋଗ ଦେଖା ଦେଇଥିଲା । ଏଥିପାଇଁ ସେ ବଡ ସର୍ଜରୀ ବି କରିଥିଲେ । ହେଲେ ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତାଙ୍କ ନିଧନରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ପଙ୍କଜ ଧୀରଙ୍କ ନିଧନର ଖବର ତାଙ୍କ ବନ୍ଧୁ ଫିରୋଜ ଖାନ ଇନଷ୍ଟାଗ୍ରାମ ଜରିଆରେ ଦେଇଛନ୍ତି । ଫିରୋଜ ଇନଷ୍ଟାରେ ପଙ୍କଜଙ୍କ ସହ ନିଜର ଏକ ଫଟୋ ସେୟାର କରି ତାଙ୍କୁ ବିଦାୟ ଦେଇଛନ୍ତି । ବଲିଉଡ ଅଭିନେତା ରାଜା ମୁରାଦ ମଧ୍ୟ ପଙ୍କଜ ନିଧନର ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ୪ଟା ୩୦ରେ ପଙ୍କଜଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ପବନ ହଂସରେ କରାଯିବ ।
ପଙ୍କଜ ଧୀର ନିଜର କ୍ୟାରିୟର ଆରମ୍ଭ ଫିଲ୍ମରୁ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ପୁନମ(୧୯୮୧) । ମାତ୍ର ଏହା ଫ୍ଲପ୍ ହୋଇଥିଲା । ଆଗାମୀ କିଛି ବର୍ଷରେ ସେ ସୁଖା, ମେରା ସୁହାଗ, ରନ୍ଦମ ବରବୁ ଓ ଜୀବନ ଏକ ସଂଘର୍ଷ ପରି ଅନେକ ସ୍ମରଣୀୟ ଫିଲ୍ମରେ ଅଭିନୟ କରିଥିଲେ । ତେବେ ୧୯୮୮ରେ ପଙ୍କଜଙ୍କୁ ବିଆର ଚୋପ୍ରାଙ୍କ କାଳଜୟୀ ମହାଭାରତରୁ ଅପାର ସଫଳତା ମିଳିଥିଲା । ଏହି ଧାରାବାହିକରେ ସୂର୍ଯ୍ୟପୁତ୍ର କର୍ଣ୍ଣ ଭୂମିକା ନିଭାଇଥିଲେ ପଙ୍କଜ । ତାଙ୍କର ବ୍ୟକ୍ତିତ୍ୱ, ଅଭିନୟ ଓ ବ୍ୟବହାର କର୍ଣ୍ଣ ଚରିତ୍ର ପଙ୍କଜକୁ ପରିଚୟ ଦେଇଥିଲା ।
ମହାଭାରତ ପରେ ପଙ୍କଜଙ୍କ ଲୋକପ୍ରିୟତା ଶିଖର ଛୁଇଁଥିଲା । ତାଙ୍କୁ ସିନେମା ଓ ଧାରାବାହିକରୁ ଭଲ ଭଲ ଅଫର ମିଳିବାରେ ଲାଗିଥିଲା । ସେ ଅଭିନୟ କରିଥିବା କିଛି ଦମଦାର ଫିଲ୍ମ ମଧ୍ୟରେ ରହିଛି ସନମ ବେୱଫା, ସଡକ, ଜୀ ହରର ଶୋ, ଚନ୍ଦ୍ରାକାନ୍ତା, ସୋଲଜର, ବାଦଶା, ଅନ୍ଦାଜ, ସସୁରାଲ ସିମର କା, ରାଜା କି ଆଏଗୀ ବାରାତ, ଦେବୋଁ କା ଦେବ ମହାଦେବ ଆଦି ସାମିଲ ।
Also read: ଜୁବୀନ ଗର୍ଗ ମୃତ୍ୟୁ ମାମଲା: ୨ ପିଏସଓ ଗିରଫ, ୭ରେ ପହଁଚିଲା ଗିରଫଦାରୀ ସଂଖ୍ୟା